‘ଦ ୱେୟାର’ ବିରୋଧରେ ବିଜେପି ଆଇଟି-ସେଲ୍ ମୁଖ୍ୟଙ୍କ ମାମଲା ରୁଜୁ

ନୂଆଦିଲ୍ଲୀ : ବିଜେପି ଆଇଟି-ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ ଶନିବାର ମିଡ଼ିଆ କମ୍ପାନି ‘ଦ ୱେୟାର’ ବିରୋଧରେ ଏକ ଏଫ୍‌ଆଇଆର୍ ଦରଜ କରିଛି। ଉକ୍ତ ମିଡ଼ିଆ କମ୍ପାନି ତାଙ୍କ ଭାବମୂର୍ତ୍ତିରେ କାଳିମା ବୋଳିବା ପାଇଁ ନକଲି କାଗଜପତ୍ରର ସାହାରା ନେଇଛି ବୋଲି ମାଲବ୍ୟ ଅଭିଯୋଗ କରିଛନ୍ତି।

‘ଦ ୱେୟାର’, ଏହାର ପ୍ରତିଷ୍ଠାତା ସିଦ୍ଧାର୍ଥ ବରଦରାଜନ, ଏହାର ପ୍ରତିଷ୍ଠାତା ସମ୍ପାଦକ ସିଦ୍ଧାର୍ଥ ଭାଟିଆ ଓ ଏମ୍‌କେ ବେଣୁ, ଏହାର ଡେପୁଟି ଏଡିଟର ଏବଂ କାର୍ଯ୍ୟନିର୍ବାହୀ ନ୍ୟୁଜ୍ ପ୍ରଡ୍ୟୁସର ଜାହ୍ନବୀ ସେନ୍‌ଙ୍କ ନାମ ଏଫ୍‌ଆଇଆର୍‌ରେ ରହିଛି। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୨୦, ୪୬୮, ୪୬୯, ୪୭୧, ୫୦୦ ତଥା ୧୨୦ ବି ଏବଂ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି।

ମାଲବ୍ୟଙ୍କ ଅଭିଯୋଗ ଅନୁସାରେ, ଅକ୍ଟୋବର ୬ ତାରିଖରେ ‘ଦ ୱେୟାର’ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ ସେ ଦାବି କରିଥିଲା ଯେ କ୍ରିଞ୍ଜଆର୍କିଭିଷ୍ଟ ନାମକ ଏକ ଘରୋଇ ଆକାଉଣ୍ଟରୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଇଥିବା ଏକ ବିଷୟକୁ ମେଟା ପୋଷ୍ଟ କରାଯିବାର କିଛି ମିନିଟ ଭିତରେ ହଟେଇ ଦେଇଥିଲା। ମେଟା ବିଜେପି ଇଙ୍ଗିତରେ କାମ କରୁଛି ଏବଂ ବିଜେପିକୁ ନ ସୁହାଇଲା ଭଳି ଜିନିଷକୁ ହଟେଇ ଦେଉଛି। ଉକ୍ତ ନ୍ୟୁଜ୍ ପୋର୍ଟାଲ ପୁଣି ଅକ୍ଟୋବର ୧୦ ତାରିଖରେ ପ୍ରକାଶ କରିଥିଲା ଯେ, ସେ (ମାଲବ୍ୟ) ହେଉଛନ୍ତି ମେଟା ଓ ବିଜେପି ମଧ୍ୟରେ ଯୋଗସୂତ୍ରକାରୀ। ଅର୍ଥାତ୍ ତାଙ୍କ ନିର୍ଦ୍ଦେଶରେ ମେଟା ଏଭଳି କାମ କରୁଛି ବୋଲି ଦ ୱେୟାର ପ୍ରକାଶ କରିଥିଲା, ଯାହାକୁ ମେଟା ଅକ୍ଟୋବର ୧୧ରେ ଖଣ୍ଡନ କରିଥିଲା। ଏହାଦ୍ବାରା ତାଙ୍କର ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ଉଦ୍ୟମ କରାଯାଇଛି ବୋଲି ମାଲବ୍ୟ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର