ବିଜେପି-ଜେଡିୟୁ ବୁଝାମଣା, ସମାନ ସଂଖ୍ୟକ ଆସନରେ ଲଢ଼ିବେ

ପାଟନା: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିହାରରେ ବିଜେପି ଏବଂ ଜେଡିୟୁ ମଧ୍ୟରେ ଆସନ ଭାଗବଣ୍ଟା ହୋଇଛି। ବିହାରରେ ମୋଟ ୪୦ ଲୋକସଭା ଆସନ ରହିଥିବା ବେଳେ ବିଜେପି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ସମାନ ସଂଖ୍ୟକ ଆସନରେ ଲଢ଼ିବେ ବୋଲି ଆଜି ବିଜେପି ମୁଖ୍ୟ ଅମିତ ଶାହ କହିଛନ୍ତି। ଖୁବ୍‌ଶୀଘ୍ର ସଂଖ୍ୟା ଘୋଷଣା କରାଯିବ ବୋଲି ସେ କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାକ୍ଷାତ କରିବାପରେ ଅମିତ ଶାହ ଆଜି ଏହି ଘୋଷଣା କରିଛନ୍ତି। ଶାହଙ୍କୁ ସାକ୍ଷାତ କରିବା ପୂର୍ବରୁ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଥିଲେ। ଏନ୍‌ଡିଏର ଅନ୍ୟ ସହଯୋଗୀ ଦଳ ଗୁଡ଼ିକୁ ମଧ୍ୟ ବିହାରରେ ମର୍ଯ୍ୟାଦାଜନକ ଭାବେ ଆସନ ଦିଆଯିବ କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ୨୦୧୪ ତୁଳନାରେ ଆସନ ସଂଖ୍ୟା କମିବ ବୋଲି ଶାହ ସ୍ପଷ୍ଟ କରିଦେଇଛନ୍ତି। ଯେତେବେଳେ ଜଣେ ନୂଆ ଅଂଶୀଦାର ଯୋଗ ଦିଅନ୍ତି ସେ ସମୟରେ ସମସ୍ତଙ୍କୁ ତ୍ୟାଗ କରିବାକୁ ପଡ଼ିବ। ତେଣୁ ସମସ୍ତଙ୍କ ଭାଗରେ ଆସନ ସଂଖ୍ୟା କମିବ ବୋଲି ଶାହ ଆଗୁଆ କହିଦେଇଛନ୍ତି। ରାମ ବିଳାଶ ପାଶୱାନ୍‌ଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଏବଂ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଏଲଏସପି) ମଧ୍ୟ ଆସନ୍ତା ଲୋକସଭା ନିର୍ବ‌ାଚନରେ ଏନ୍‌ଡିଏ ସହ ରହିବେ ବୋଲି ଶାହ କହିଛନ୍ତି। ଅନ୍ୟପକ୍ଷରେ ଏଲ୍‌ଜେପି ପୂର୍ବରୁ ସ୍ପଷ୍ଟ କରିଦେଇଛି ଯେ ବିହାରରେ ଆସନ ଭାଗବଣ୍ଟା ମାମଲାରେ ଏହାକୁ ୭ ଆସନରୁ କମ୍‌ ମିଳିଲେ ଏହା ମେଣ୍ଟରେ ରହିବ ନାହିଁ। ଉଲ୍ଲେଖଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁ ପୃଥକ୍‌ ଭାବେ ନିର୍ବାଚନ ଲଢ଼ି ୨ଟି ଆସନ ହାସଲ କରିଥିଲା। ଅନ୍ୟପକ୍ଷରେ ୩ଟି ଏନ୍‌ଡିଏ ‌ସହଯୋଗୀ ମେଣ୍ଟ ୩୧ଟି ଆସନ ଜିତିଥିଲେ। ବିଜେପି ୨୨ଟି ଆସନରୁ ଜିତିଥିବା ବେଳେ ଏଲଜେପି ୬ଟି ଆସନରେ ବିଜୟୀ ହୋଇଥିଲା। ବିଜେପି-ଜେଡିୟୁ ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ କୁଶୱାହା ଏହାକୁ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର