ମେଣ୍ଟ ପାଇଁ ୫ ଆସନ ଟେକିଦେଲା ବିଜେପି

ବିଜେପି-ଜେଡିୟୁକୁ ୧୭-୧୭, ୬ ଆସନରେ ଲଢ଼ିବ ଏଲ୍‌ଜେପି

ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ବିହାରରେ ୨୨ଟି ଆସନରେ ବିଜୟୀ ହୋଇଥିବା ବେଳେ ସେଥିରୁ ୫ଟି ଆସନ ମେଣ୍ଟ ହାତରେ ଟେକିଦେଇ ମାତ୍ର ୧୭ଟି ଆସନରେ ୨୦୧୯ ନିର୍ବାଚନ ଲଢ଼ିବାକୁ ନି‌ଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଜେଡିୟୁ ୨୦୧୪ରେ ମାତ୍ର ୨ଟି ଆସନରେ ସୀମିତ ରହିଥିବା ବେଳେ ଏଥର ୧୭ଟି ଆସନରେ ଲଢ଼ିବ। ବିଜେପି, ଜେଡିୟୁ ଓ ଏଲ୍‌ଜେପିର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ବିହାର‌ର ୪୦ ‌ଲୋକସଭା ଆସନ ମଧ୍ୟରୁ ବିଜେପି ଓ ଜେଡିୟୁ ୧୭ଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ ଏବଂ ବଳକା ୬ଟି ଆସନ ଏଲ୍‌ଜେପି ପାଇଁ ଛ‌ାଡ଼ିଦେବେ। ଏହି ୩ଟି ଦଳ ପକ୍ଷରୁ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏହି ନିଷ୍ପତ୍ତିକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଶାହଙ୍କ ବ୍ୟତୀତ ନୀତୀଶ କୁମାର, ଏଲ୍‌ଜେପି ସୁପ୍ରିମୋ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ବାନ ଏବଂ ତାଙ୍କ ପୁଅ ତଥା ସ‌ାଂସଦ ଚିରାଗ ପାଶ୍ବାନ ଉପସ୍ଥିତ ଥିଲେ। ବୈଠକ‌ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ଶାହ କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନରେ ବିହାରରେ ବିଜେପି ଓ ଜେଡିୟୁ ୧୭ଟି ଲେଖାଏଁ ଆସନରେ ଲଢ଼ିବେ। ଏଲ୍‌ଜେପି ୬ଟି ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ିବ। ଶାହ କହିଛନ୍ତି, ଆଗକୁ ଆସୁଥିବା ରାଜ୍ୟସଭା ନିର୍ବା‌ଚନରେ ପାଶ୍ବାନଙ୍କୁ ଏନ୍‌ଡିଏ ପ୍ରାର୍ଥୀ କରାଯିବ। ତେବେ ଖୁବ୍‌ଶୀଘ୍ର ଏନ୍‌ଡିଏର ରାଜନୈତିକ କାର୍ଯ୍ୟସୂଚୀ ସାର୍ବଜନୀନ ହେବ। ନୀତୀଶ କୁମାର କହିଛନ୍ତି, ଏବେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିବାରୁ ୩ଟି ଦଳ ନିଜ ନିଜ ପ୍ରାର୍ଥୀ ଚୟନ କରି ଟିକଟ ଦେବା ନେଇ ଯୋଜନା ପ୍ରସ୍ତୁତ କରିବ। ଆସନ ଭାଗବଣ୍ଟାକୁ ନେଇ ୩ ଦଳରେ ଯେଉଁ ଦ୍ବନ୍ଦ୍ବ ରହିଥିଲା, ତାହାର ଅବସାନ ଘଟିଛି।

ସମ୍ବନ୍ଧିତ ଖବର