ହରିୟାଣାରେ ବିଜେପି-ଜେଜେପି ସରକାର

ପୁଣି ମୁଖ୍ୟମନ୍ତ୍ରୀ ହେବେ ଖଟ୍ଟର, ଆଜି ରାଜ୍ୟପାଳଙ୍କୁ ଭେଟିବେ, ଜେଜେପି ନେତା ଦୁଶ୍ୟନ୍ତ ହେବେ ଉପମୁଖ୍ୟମନ୍ତ୍ରୀ: ଶାହ

ଚଣ୍ଡିଗଡ଼/ମୁମ୍ବଇ : ନିର୍ବାଚନ ଫଳାଫଳ ଘୋଷଣା ପରେ ହରିୟାଣା ଓ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ବିଜେପି ତତ୍ପର ହୋଇଉଠିଛି। ହରିୟାଣାରେ ବିଜେପି ମ୍ୟାଜିକ୍‌ ନମ୍ବରଠାରୁ ଦୂରରେ ରହିଥିଲେ ବି ଜେଜପି, ଆଇଏନ୍‌ଏଲ୍‌ଡି, ଏଚ୍ଏଲ୍‌ପି ସମେତ ୭ ସ୍ବାଧୀନ ବିଧାୟକ ସମର୍ଥନ ଦେବାକୁ ଘୋଷଣା କରିବା ପରେ ବିଜେପି ମିଳିତ ସରକାର ଗଠନ କରିବା ଚୂଡ଼ାନ୍ତ ହୋଇଯାଇଛି। ଦିନ ତମାମର ଛକାପଞ୍ଝା ପରେ ଶେଷରେ ବିଜେପି, ୧୦ ବିଧାୟକ ଜିତିଥିବା ଜେଜପିକୁ ମଧ୍ୟ ସାଥିରେ ନେବାକୁ ସକ୍ଷମ ହୋଇଛି। ମନୋହର ଲାଲ୍‌ ଖଟ୍ଟର ପୁଣିଥରେ ହରିୟାଣା ମୁଖ୍ୟମନ୍ତ୍ରୀ ଏବଂ ଜେଜେପି ନେତା ଦୁଶ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସନ୍ଧ୍ୟା‌େର ଘୋଷଣା କରିଛନ୍ତି। ଆସନ୍ତାକାଲି ଖଟ୍ଟର ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି କରିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ୯୦ ଆସନ ବିଶିଷ୍ଟ ହରିୟାଣାରେ ସରକାର ଗଠନ ପାଇଁ ୪୬ ବିଧାୟକଙ୍କ ଆବଶ୍ୟକତା ଥିବାବେଳେ ବିଜେପି ଏକାକି ୪୦ ଆସନ ଜିତି ମୁଖ୍ୟ ଦାବିଦାର ଭାବେ ଉଭା ହୋଇଥିଲା। କଂଗ୍ରେସ ୩୧, ଜେଜେପି ୧୦, ଆଇଏନ୍‌ଏଲ୍‌ଡି ଓ ଏଚ୍‌ବିପି ଗୋଟିଏ ଲେଖାଏଁ ଆସନରେ ଜିତିଥିବାବେଳେ ୭ ସ୍ବାଧୀନ ବିଧାୟକ ବିଜୟୀ ହୋଇଥିଲେ। ସରକାର ଗଠନ ଲାଗି ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନ ଥିବାରୁ ଜେଜେପି ନେତା ଦୁଶ୍ୟନ୍ତ ଚୌତାଲା ‘କିଙ୍ଗ୍‌ ମେକର’ ହେ‌େବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଦୁଶ୍ୟନ୍ତ କୌଣସି ଦଳକୁ ସରକାର ଗଠନ ପାଇଁ ସମର୍ଥନ ଦେବା ବଦଳରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହିଥିଲେ। ଆଜି କିନ୍ତୁ ୭ ସ୍ବାଧୀନ ବିଧାୟକ ସମେତ ଆଇଏନ୍‌ଏଲ୍‌ଡିର ବିଧାୟକ ଅଭୟ ଚୌତାଲା ଓ ହରିୟାଣା ଲୋକହିତ ପାର୍ଟି (ଏଚ୍‌ଏଲ୍‌ପି)ର ବିଧାୟକ ଗୋପାଳ କାଣ୍ଡା ମଧ୍ୟ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରିଦେବା ପରେ ଜେଜେପି ନରମ ପଡ଼ି ଯାଇଥିଲା। ତାଙ୍କ ଇସ୍ତାହାରକୁ ଯେଉଁ ଦଳ ସମର୍ଥନ କରିବ ଏବଂ ଜେଜେପିକୁ ସମ୍ମାନ ଦେବ ସେ ସେହି ଦଳକୁ ସମର୍ଥନ କରିବେ ବୋଲି ଦୁଶ୍ୟନ୍ତ କହିଥିଲେ। ଇସାରା ଇସାରାରେ ସେ ବିଜେପିକୁ ସମର୍ଥନ ଦେବା କଥା କହିଦେବା ପରେ ବିଜେପି ନେତା ଅମିତ ଶାହ ତାଙ୍କ ସହ ଆଲୋଚନା କରି ଖଟ୍ଟର ସରକାରରେ ଯୋଗ ଦେବାକୁ ରାଜି କରାଇଥିଲେ। ଶେଷରେ ଦୁଶ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପଦ ପାଇବେ ବୋଲି ଶାହ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ୭ ସ୍ବାଧୀନ ବିଧାୟକଙ୍କ ମଧ୍ୟରୁ ସୋମ୍‌ବୀର ସଙ୍ଗୱାନ୍‌, ବଳରାଜ କୁଣ୍ଡୁ, ଧର୍ମପାଳ ଗୋଣ୍ଡର, ନୈନ ପାଲ୍‌ ରାଉତ, ପୃଥଳା ଏବଂ ରଣଧୀର ଗୋଲ୍ଲେନ୍‌ ଗଣମାଧ୍ୟମକୁ ବିବୃତି ଦେଇ ସେମାନେ ଖଟ୍ଟର ସରକାରକୁ ନିଃସର୍ତ୍ତ ସମର୍ଥନ କରିବେ ବୋଲି କହିଥିଲେ। ଏହାବାଦ୍‌ ଅନ୍ୟ ୨ ଜଣ ବିଧାୟକ ହେଉଛନ୍ତି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଦେବୀ ଲାଲ୍‌ଙ୍କ ପୁଅ ରଂଜିତ ସିଂହ ଏବଂ ଅନ୍ୟ ଜଣେ ହେଉଛନ୍ତି ରାକେଶ ଦୌଲତାବାଦ୍‌। ଖଟ୍ଟର ଆଜି ଦିଲ୍ଲୀରେ ତାଙ୍କୁ ସମର୍ଥନ ଦେଉଥିବା ସମସ୍ତ ୯ ବିଧାୟକଙ୍କ ବୈଠକ କରିଥିଲେ।

ସମ୍ବନ୍ଧିତ ଖବର