ତିନି ଲକ୍ଷ ଦଳିତଙ୍କ ଘରୁ ମୁଠାଏ ଚାଉଳ ଆଣି ଖେଚୁଡ଼ି ତିଆରି କରିବ ଭାଜପା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ପକ୍ଷରୁ ଦଳିତ ସଂପ୍ରଦାୟର ଲୋକମାନଙ୍କ ସହିତ ଯୋଡ଼ି ହେବା ଲାଗି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଅନୁଯାୟୀ,ଭାଜପାର କାର୍ଯ୍ୟକର୍ତ୍ତାମାନେ ରାଜଧାନୀ ରାଜଧାନୀ ଦିଲ୍ଲୀର ପ୍ରାୟ ତିନି ଲକ୍ଷ ଦଳିତଙ୍କ ଘରୁ ମୁଠାଏ ଲେଖାଁ ଚାଉଳ ଆଣିବେ। ଏହାପରେ ସେହି ଚାଉଳରୁ ଆଗାମୀ ଡିସେମ୍ବର ୩୦ ତାରିଖରେ ଦିଳ୍ଲୀର ରାମଲୀଳା ମଇଦାନରେ ୫ ହଜାର କିଲୋଗ୍ରାମ ଖେଚୁଡ଼ି ପ୍ରସ୍ତୁତ କରିବେ।

ଦିଲ୍ଲୀ ଶାଖା ଭାଜପାର ସାଧାରଣ ସଂପାଦକ ରବୀନ୍ଦ୍ର ଗୁପ୍ତା କହିଛନ୍ତି ଯେ,ଭାରତୀୟ ଜନତା ପାର୍ଟି ଦଳିତମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ଓ ସେମାନଙ୍କ ହିତ ସାଧନ ଲାଗି କାର୍ଯ୍ୟ କରୁଛି,ଏହି କାମ ଆଗକୁ ବି ଜାରି ରଖିବ। ଏହି ଖେଚୁଡ଼ି ପ୍ରସ୍ତୁତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉପସ୍ଥିତ ରହିବେ ବୋଲି ସେ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମକୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡସରେ ସ୍ଥାନ ମିଳିବ ବୋଲି ଭାଜପା ଅନୁସୂଚିତ ମୋର୍ଚାର ଅଧ୍ୟକ୍ଷ ମୋହନ ଲାଲ ଗିହାରା କହିଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଆଗାମୀ ସାଧାରଣ ନିର୍ବାଚନରେ ପୁଣିଥରେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବା ଲାଗି ଦଳ ଦଳିତମାନଙ୍କୁ ନିବେଦନ କରିବ।

ସମ୍ବନ୍ଧିତ ଖବର