ମଧ୍ୟପ୍ରଦେଶ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଆରମ୍ଭ କରିଛି ‘ଅପରେସନ୍‌ ହୋଲି’: ଅଭିଯୋଗ କଲା କଂଗ୍ରେସ

କଂଗ୍ରେସର ୧୪ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଆରମ୍ଭ କରିଛି ‘ଘୋଡ଼ାବେପାର’

ଭୋପାଳ/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜନୀତିକୁ କେନ୍ଦ୍ରକରି ସଂପ୍ରତି ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ ଏବେ ଶାସନ କ୍ଷମତାରେ ଥିବା କଂଗ୍ରେସର କମଲନାଥଙ୍କ ସରକାରକୁ ‘ଅସ୍ଥିର’ କରି ଏହାକୁ ଭାଙ୍ଗିଦେବାକୁ ବିଜେପି ପକ୍ଷରୁ ‘ଅପରେସନ୍‌ ହୋଲି’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି ବୋଲି ଆଜି ଅପରାହ୍ଣରେ କଂଗ୍ରେସର ବରିଷ୍ଠ ନେତାମାନେ ଦିଲ୍ଲୀଠାରେ ଅଭିଯୋଗ କରିଛନ୍ତି। ଖାଲି ମଧ୍ୟପ୍ରଦେଶର କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ନୁହେଁ ବରଂ ଆଗାମୀ ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଏବେ ସବୁ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ଅସ୍ଥିରତା ସୃଷ୍ଟି ସହ ଘୋଡ଼ାବେପାର କରି କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଅଭିଯୋଗ କରିଛନ୍ତି।

ଏହିକ୍ରମରେ ମଧ୍ୟପ୍ରଦେଶରେ ଶାସନ କ୍ଷମତାରେ ଥିବା କମଲନାଥଙ୍କ ନେତୃତ୍ୱାଧୀନ ୧୫ ମାସର କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଏକ ଭୟଙ୍କର ଷଡ୍‌ଯନ୍ତ୍ର ରଚନା କରିଛି। ଆଉ ନିଜର ଏହି ହୀନ ଉଦ୍ଦେଶ୍ୟ ସାଧନ ପାଇଁ ମଧ୍ୟପ୍ରଦେଶର ୧୪ ଜଣ ବିଧାୟକଙ୍କୁ ଅପହରଣ କରିନେଇ ସେମାନଙ୍କୁ ଗୁଡ଼୍‍ଗାଓଁର ଏକ ପଞ୍ଚତାରକା ହେଟେଲରେ ବନ୍ଦୀକରି ରଖିଛି। ଏବଂ ସେମାନଙ୍କୁ ‘ଘୋଡ଼ାବେପାର’ କରି ନିଜ ପକ୍ଷକୁ ନେବାପାଇଁ ସେମାନଙ୍କ ସହ ମୂଲଚାଲ ଆରମ୍ଭ କରି ଦେଇଛ ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଆଜାଦ୍‌ ଅଭିଯୋଗ କରିଛନ୍ତି।

News Today

ଅନ୍ୟପକ୍ଷରେ, ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କହିଛନ୍ତି ଯେ ବିଜେପି ଦ୍ୱାରା ଅପହୃତ ହୋଇ ଗୁଡ଼୍‍ଗାଓଁ ହୋଟେଲରେ ଥିବା ୧୪ ବିଧାୟକଙ୍କ ମଧ୍ୟର ୬ ଜଣ ବିଧାୟକଙ୍କୁ ଆମେ ଫେରାଇ ଆଣିବାରେ ସମର୍ଥ ହୋଇଛୁ ଏବଂ କମଲନାଥଙ୍କ ସରକାର ପ୍ରତି ଏବେ ଆଉ ବିପଦ ନାହିଁ। ତେବେ, ମଧ୍ୟପ୍ରଦେଶର ଏହି ରାଜନୈତିକ ଡ୍ରାମା ଏବେ ବେଙ୍ଗାଲୁରୁରେ ଯାଇ ପହଞ୍ଚିଥିବା ଜାଣିବା ପାଇଁ ମିଳିଛି। କଂଗ୍ରେସ ନିଜର ୬ ଜଣ ବିଧାୟକଙ୍କୁ ଫେରାଇ ଆଣିବା ପରେ ଅବଶିଷ୍ଟ ୮ କଂଗ୍ରେସ ବିଧାୟକଙ୍କୁ ବିଜେପି ଏବେ ଗୁଡ଼୍‍ଗାଓଁରୁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଳ୍‌କୁ ସ୍ଥାନାନ୍ତର କରି ଦେଇଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି ଯେ ବିଜେପି ମଧ୍ୟପ୍ରଦେଶରେ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି। ତେବେ ସରକାରଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର