ଅମିତ ଶାହାଙ୍କ ନାଁ ନେଇ ୨କୋଟିରୁ ଅଧିକ ଟଙ୍କା ଠକି ନେଲେ ବିଜେପି ନେତା, ୧୦୦କୋଟି ଠକିବାର ଥିଲା ଯୋଜନା

ନୂଆଦିଲ୍ଲୀ: ବିଜେପି ନେତା ତଥା ରେଳ ଯାତ୍ରୀ ସେବା କମିଟିର ସଭାପତି ଓ ତାଙ୍କ ପୁଅ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମରେ ୨କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଅଭିିଯୋଗ ଅନୁଯାୟୀ ଅଭିଯୁକ୍ତମାନେ ରେଳବାଇ ବ୍ୟତୀତ ୧୦୦କୋଟି ଟଙ୍କାରେ ଆହୁରି ଅନେକ ପ୍ରକଳ୍ପ ଦେବା ପାଇଁ ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ସହ ଏକ ଚୁକ୍ତି କରିଥିଲେ। ହେଲେ ପରେ ବ୍ୟବସାୟୀଙ୍କୁ ଠକି ଦିଆଯାଇଥିଲା। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଏହି ଘଟଣାକୁ ନେଇ ଏକ ଏତଲା ରୁଜୁ କରିଛି।

ମୁମ୍ବାଇର ବଡ ବ୍ୟବସାୟୀ ପ୍ରବଲ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ, ରେଳବାଇ ବ୍ୟତୀତ ଅନେକ ପ୍ରକଳ୍ପ ଦେବା ପାଇଁ ବିଜେପି ନେତା ତଥା ରେଳ ଯାତ୍ରୀ ସେବା କମିଟିର ସଭାପତି ରମେଶ ଚନ୍ଦ୍ର ରତ୍ନ ଏବଂ ତାଙ୍କ ପୁଅ ବ୍ରିଜେଶ ରତ୍ନ ତାଙ୍କ ସହ ୧୦୦ କୋଟି ଟଙ୍କା ଚୁକ୍ତି କରିଥିଲେ ଏବଂ ଅଗ୍ରିମ ୨କୋଟି ଟଙ୍କା ନେଇଥିଲେ। ହେଲେ ପରେ ସେମାନେ ମୋତେ ଠକୁଥିବା ମୁଁ ଜାଣିପାରିଥିଲି।

ସ୍ୱତନ୍ତ୍ର ସେଲରେ ମୁମ୍ବାଇର ବ୍ୟବସାୟୀ ପ୍ରବଲ ଚୌଧୁରୀ କରିଥିବା ଅଭିଯୋଗରେ ରାହୁଲ ଶାହା, ଅନିଷ ବନସଲ, ରମେଶ ଚନ୍ଦ୍ର ରତ୍ନ ଏବଂ ବ୍ରିଜେଶ ରତ୍ନ ତାଙ୍କୁ ଠକିଥିବା ଲେଖାଯାଇଛି। ଅଭିଯୋଗ ହୋଇଛି ଯେ ରେଳବାଇର ବିଭିନ୍ନ ପ୍ରକଳ୍ପ ନେଇ ଚୁକ୍ତିନାମା ଏବଂ ଅନ୍ୟାନ୍ୟ ସରକାରୀ ଚୁକ୍ତିନାମା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରାଇବା ନାଁରେ ପୀଡିତଙ୍କୁ ଦିଲ୍ଲୀର ୯୯କୁଶକ ରୋଡକୁ ଡକାଯାଇଥିଲା। ଏହା ସହ ୨କୋଟି ଟଙ୍କା ଆଣିବାକୁ କୁହାଯାଇଥିଲା। ପ୍ରକଳ୍ପ ପାଇବା ପାଇଁ ପ୍ରବଲ ୨କୋଟି ଟଙ୍କା ଆଡଭାନ୍ସ ଦେଇଥିବା ବେଳେ ତାଙ୍କୁ ପ୍ରକଳ୍ପ ମିଳିନଥିଲା। ପରେ ସେ ନିଜ ୨କୋଟି ଟଙ୍କା ମାଗିବାରୁ ଅଭିଯୁକ୍ତମାନେ ପ୍ରବଲଙ୍କୁ ଟଙ୍କା ଦେଇନଥିଲେ।

ସମ୍ବନ୍ଧିତ ଖବର