ବେଙ୍ଗାଲୁରୁ: କର୍ଣ୍ଣାଟକରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ପୂର୍ବତନ ଏମଏଲସି ଏମବି ଭାନୁପ୍ରକାଶ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସୋମବାର ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି।

Advertisment

ପୂର୍ବରୁ ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ଭାନୁପ୍ରକାଶ (୬୯) ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ଶିବମୋଗାରେ ଦଳ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ସମାବେଶର ନେତୃତ୍ୱ ନେଇ ଊପସ୍ଥିତ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାର୍‌ରେ ଚଢ଼ିବା ସମୟରେ ହୃଦ୍‌ଘାତରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରି ନଥିଲା।

ଏମବି ଭାନୁପ୍ରକାଶଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଦଳୀୟ କର୍ମୀ ମହଲରେ ଶୋକର ଛାୟା ଖେଳି ଯାଇଥିଲା। ଏମବି ଭାନୁପ୍ରକାଶଙ୍କ ବିୟୋଗରେ ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।