ଆପ୍ ଯେଉଁଆଡେ ଯାଏ, ସେଠାରେ ଦୁର୍ନୀତି ବଢ଼େ; ଏଭଳି କହି କେଜ୍ରିୱାଲଙ୍କୁ ଟାର୍ଗେଟ କଲା ବିଜେପି

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଦୁର୍ନୀତି ଅଭିଯୋଗରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗ୍‌ଲାଙ୍କୁ ତାଙ୍କ କ୍ୟାବିନେଟ୍‌ରୁ ବରଖାସ୍ତ କରିଛନ୍ତି। ବରଖାସ୍ତ ହେବା ପ‌ରେ ତାଙ୍କୁ ଆଣ୍ଟି କର୍‌ପସନ ବ୍ରାଞ୍ଚ୍‌ ଗିରଫ କରିଛି। ଦୁର୍ନୀତି ବିରୋଧରେ ମୁହଁ ଖୋଲିବା ଏବଂ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପ୍ରଶଂସା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଟ୍ବିଟରେ କେଜ୍ରିୱାଲ ଲେଖିଥିଲେ ଯେ, ଆପଣଙ୍କୁ ନେଇ ଗର୍ବିତ ଭଗୱନ୍ତ। ଆପଣଙ୍କ କାର୍ଯ୍ୟାନୁଷ୍ଠାନ ମୋ ଆଖିରେ ଲୁହ ଆଣିଦେଇଛି। ଆଜି ସମଗ୍ର ଦେଶ ଆପ୍ ଉପରେ ଗର୍ବିତ। ତେବେ କେଜ୍ରିୱାଲଙ୍କ ଏହି ଟ୍ବିଟକୁ ନେଇ ଏବେ ତାଙ୍କୁ ଟାର୍ଗେଟ କରିଛି ବିଜେପି। ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ‘ଆପ ଯେଉଁଆଡେ ଯାଏ ସେଠାରେ ଦୁର୍ନୀତି ବଢ଼ିଯାଏ। ଦୁର୍ନୀତିଗ୍ରସ୍ତ କଂଗ୍ରେସ ଯିବା ପରେ ଏବେ ପଞ୍ଜାବକୁ ଆମ୍ ଆଦମୀ ପାର୍ଟି ଆସିଛି। ଅରବିନ୍ଦ କେଜ୍ରିୱାଲଜୀ, ଆପଣଙ୍କ କୁମ୍ଭୀର କାନ୍ଦଣା ଦେଖି କୁମ୍ଭୀର ବି ଲାଜ କରିବ। ଏପ୍ରିଲ ୬, ୨୦୨୨ରେ ଆପଣ କହିଥିଲେ ଯେ, କ୍ଷମତାକୁ ଆସିବାର ୨୦ ଦିନ ମଧ୍ୟରେ ଆମେ ପଞ୍ଜାବରେ ଦୁର୍ନୀତି ସମାପ୍ତ କରିଛୁ। ଯଦି ଦୁର୍ନୀତି ଶେଷ କରିଦେଇଥି‌ଲେ ଏବେ ଆପଣଙ୍କ ମନ୍ତ୍ରୀ ଦୁର୍ନୀତି କଲେ କେମିତି? ଏହି ଦୁର୍ନୀତିର ଆରମ୍ଭ ଆପ୍ ହିଁ କରିଛି ବୋଲି କହିଛନ୍ତି ଗୌରବ ଭାଟିଆ।

ndtv

ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗ୍‌ଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରେ ମୁଖ୍ୟମନ୍ତ୍ରୀ ମାନ୍ ଏକ ଭିଡିଓ ଟ୍ବିଟ କରି କହିଥିଲେ ଯେ, ମୋର ଜଣେ ମନ୍ତ୍ରୀ ପ୍ରତ୍ୟେକ ଟେଣ୍ଡର ପାଇଁ ୧% କମିଶନ ଦାବି କରୁଥିବା ମୋ ନଜରକୁ ଆସିଥିଲା। ମୁଁ ଏହାକୁ ବହୁତ ଗମ୍ଭୀରତାର ସହ ନେଇଥିଲି। ଚାହିଁଥିଲେ ମୁଁ ଏହାକୁ ଲୁଚାଇ ପାରିଥାନ୍ତି। କିନ୍ତୁ ଏଭଳି କରି ମୁଁ ମୋତେ ବିଶ୍ୱାସ କରୁଥିବା ଲୋକଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଥା’ନ୍ତି।ଲୋକମାନେ ବହୁତ ଆଶା ରଖି ଆପକୁ ଭୋଟ୍ ଦେଇଛନ୍ତି, ଆମକୁ ସେମାନଙ୍କ ବିଶ୍ବାସର ମାନ ରଖିବାକୁ ହେବ। ଯେପର୍ଯ୍ୟନ୍ତ ଭାରତରେ ଅରବିନ୍ଦ କେଜ୍ରିୱାଲଙ୍କ ପରି ପୁଅ ଏବଂ ଭଗୱନ୍ତ ମାନଙ୍କ ପରି ଜଣେ ସୈନିକ ଅଛନ୍ତି, ଦୁର୍ନୀତି ବିରୋଧରେ ଏଭଳି ଯୁଦ୍ଧ ଜାରି ରହିବ।

ସମ୍ବନ୍ଧିତ ଖବର