କୋଲକାତା: ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲ୍ଲା ହୈମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତଦେହ ଆଜି ସକାଳେ ତାଙ୍କ ଘର ନିକଟସ୍ଥ ଏକ ଦୋକାନ ବାରଣ୍ଡାରୁ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ପରିବାର ସଦସ୍ୟ ଏବଂ ଦଳୀୟ ନେତାମାନଙ୍କ ଅଭିଯୋଗ, ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦେବା ପାଇଁ ରଶିରେ ଟାଙ୍ଗି ଦିଆଯାଇଛି। ତେବେ ବିଧାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ହୋଇଛି। ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ରାୟଙ୍କ ପକେଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୁଲିସ। ଫରେନ୍ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଯାଞ୍ଚ କରିବା ସହ ତଦନ୍ତ ଆଗକୁ ବଢ଼ାଇଛି।
ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୈମତାବାଦ ଆସନରେ ସିପିଏମ୍ ଟିକଟରେ ନିର୍ବାଚନ ଜିତିଥିଲେ ଦେବେନ୍ଦ୍ର ନାଥ। ଗତ ଲୋକସଭା ନିର୍ବାଚନ ପରେ ସେ ବିଜେପିରେ ସାମିଲ ହୋଇଥିଲେ। ସେ ଯେ ଆତ୍ମହତ୍ୟା କରିଥାଇ ପାରନ୍ତି ଏକଥାକୁ ତାଙ୍କ ପରିବାର ଲୋକେ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି। ତେଣୁ ଏହି ଘଟଣାର ତଦନ୍ତ ସିବିଆଇ କରୁ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ରାୟଙ୍କୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡ ପଛରେ ଶାସକ ତୃଣମୂଳ କଂଗ୍ରେସର ପ୍ରଚ୍ଛନ୍ନ ହାତ ରହିଛି ବୋଲି ସିଧାସଳଖ ଦାୟୀ କରାଯାଇଛି। ବିଜେପି ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ରାୟଙ୍କ ଲୋକପ୍ରିୟତା ନେଇ ତୃଣମୂଳ ସବୁବେଳେ ବିବ୍ରତ ଥିଲା। ତେଶୁ ତୃଣମୂଳ ଗୁଣ୍ଡାମାନେ ତାଙ୍କୁ ହତ୍ୟା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ବରିଷ୍ଠ ନେତା କୈଳାସ ବିଜୟ ବର୍ଗୀୟ ମଧ୍ୟ ଅନୁରୂପ ଭାବେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/fh7f98h7sf98h7sf98hsfhsfsfhshfshfshshfshfsfh.jpg)