୨୦ ବର୍ଷ ପରେ ଅନ୍ନ ଗ୍ରହଣ କରିଲେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟ

ଇନ୍ଦୋର: ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟ ନିଜର ଏକ ସଂକଳ୍ପ ଆଜି ସଂପୂର୍ଣ୍ଣ ହୋଇଥିବାରୁ ପ୍ରାୟ ୨୦ ବର୍ଷ ପରେ ଅନ୍ନ ଗ୍ରହଣ କରିଛନ୍ତି। ବିଗତ ପ୍ରାୟ ୨୦ ବର୍ଷ ତଳେ କୈଳାସ ବିଜୟବର୍ଗୀୟ ଇନ୍ଦୋରର ମେୟର ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ତାଙ୍କୁ ଜଣେ ମହାତ୍ମା କହିଥିଲେ, ସହରରେ ପିତୃ ଦୋଷ ଅଛି । ସେଥିପାଇଁ ସହରର ବିକାଶ ହୋଇପାରୁ ନାହିଁ । ଏଥିରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ହେବ । ତାଙ୍କ କଥାରେ ବିଜୟବର୍ଗୀୟ ପିତୃ ପର୍ବତ ଉପରେ ବଜରଙ୍ଗବାଲୀଙ୍କ ପ୍ରତିମା ପ୍ରତିଷ୍ଠା କରିବା ପରେ ହିଁ ଅନ୍ନ ଗ୍ରହଣ କରିବାକୁ ସଂକଳ୍ପ ନେଇଥିଲେ ।
ମହାତ୍ମାଙ୍କ କହିବା ପରେ କୈଳାସ ବିଜୟବର୍ଗୀୟ ବଜରଙ୍ଗବାଲୀଙ୍କ ପ୍ରତିମା ପ୍ରତିଷ୍ଠା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସହରର ପୁରୁଣା ଦେବଧର୍ମ ଟେକରୀରେ ପୂର୍ବ ପୁରୁଷଙ୍କୁ ମନେ ପକାଇ ଗଛ ଲଗାଇ କାମ ଆରମ୍ଭ କରିଛନ୍ତି । ବିଗତ ୨୦ ବର୍ଷରେ ଏଠାରେ ପାଖାପାଖି ସେ ୧ ଲକ୍ଷ ଗଛ ଲଗାଇଛନ୍ତି । ଏହା ପରେ ଭଗବାନ ହନୁମାନଙ୍କ ଅଷ୍ଟଧାତୁର ପ୍ରତିମା ଗଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଗ୍ୱାଲିୟରର ୧୨୫ ଜଣ କାରିଗର ୭ ବର୍ଷ ହେବ ଏହି ପ୍ରତିମା ନିର୍ମାଣରେ ବ୍ୟସ୍ତ ଅଛନ୍ତି । ଏହି ହନୁମାନ ମୂର୍ତ୍ତିର ଉଚ୍ଚତା ୭୨ ଫୁଟ୍ ଏବଂ ଏହାର ଓଜନ ୧୦୮ଟନ୍ ବୋଲି ଜଣାଯାଇଛି । ଏଥିଲାଗି ପାଖାପାଖି ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି ।

ଏଠାରେ ଆୟୋଜିତ ଏକ ମହୋତ୍ସବ ଗତ ମାସ ୨୪ରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହେଉଛି । ଏହି ଅବସରରେ ଜୁନା ଆଖଡାର ପୀଠାଧିଶ୍ୱେର ଅବଧେଶାନନ୍ଦ ଗିରି ମହାରାଜ, ସନ୍ଥ ମୁରାରୀ ବାପୁ ଓ ବୃନ୍ଦାବନରୁ ମହାମଣ୍ଡଳେଶ୍ୱର ଗୁରୁଶରଣାନନ୍ଦଜୀ ମହାରାଜ ଇନ୍ଦୋରରେ ପହଞ୍ଚିଛନ୍ତି । ସେମାନଙ୍କ ହାତରୁ କୈଳାସ ଅନ୍ନ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଅନ୍ନ ଗ୍ରହଣ ନ କରି ସାଗୁ ଦାନା ଫଳ ଆଦି ଖାଦ୍ୟ ସେବନ କରୁଥିଲେ ।

ସମ୍ବନ୍ଧିତ ଖବର