ଭୋପାଳ: ମଧ୍ୟପ୍ରଦେଶର ଫତେଗଡ଼ ଥାନା ଅଞ୍ଚଳ‌ ଗ‌ଣେଶପୁରା ଗାଁରେ ବିଜେପି ନେତା ମହେନ୍ଦ୍ର ନାଗର ଜଣେ ଚାଷୀ ରାମ ସ୍ବରୂପ ଧାକଡ଼ଙ୍କୁ ମାଡ଼ ମାରିବା ସହିତ ତାଙ୍କ ଉପରେ ଥାର୍‌ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି। ଏପରିକି ନାଗର ଓ ତାଙ୍କ ସହଯୋଗୀ ଧାକଡ଼ଙ୍କ ଝିଅମାନଙ୍କ ଉପରେ ଆକ୍ରମଣ କରିଥିଲେ। 
ଧାକଡ଼ ଓ ତାଙ୍କ ସ୍ତ୍ରୀ କ୍ଷେତକୁ ଯାଉଥିବାବେଳେ ନାଗର ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିଲେ। ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ନାଗର ଉକ୍ତ ଅଞ୍ଚଳର ଛୋଟ ଛୋଟ ଚାଷୀଙ୍କୁ ସେମାନଙ୍କ ଜମି ତାଙ୍କୁ ବିକି ଦେବାକୁ ଧମକ ଦେଉଥିଲେ। ଧାକଡ଼ ଜମି ବିକିବାକୁ ମନା କରିବାକୁ ବିଜେପି ନେତା ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଠେଙ୍ଗା ଏବଂ ରଡ୍‌ରେ ପିଟିବା ପରେ ଥାର୍‌ ଗାଡ଼ି ତାଙ୍କ ଉପରେ ଚଢ଼ାଇ ଦେଇଥିଲେ। ଧାକଡ଼ଙ୍କ ଝିଅମାନେ ଏହା ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ  ସେମାନେ ଝିଅମାନଙ୍କୁ ମଧ୍ୟ ଆକ୍ରମଣ କରିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ।

Advertisment

ଘଣ୍ଟାଏରୁ ଅଧିକ ସମୟ ଧରି ଏପରି ଆତଙ୍କରାଜ ଚାଲିଥିଲା। ଅଭିଯୁକ୍ତମାନେ ଫାଙ୍କା ଗୁଳିଚାଳନା କରି ଉପସ୍ଥିତ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ମୃତକଙ୍କ ଭାଇ ରାମ କୁମାର କହିଛନ୍ତି, ସେମାନେ ଝିଅମାନଙ୍କୁ ମାଡ଼ ମାରିବା ସହିତ ସେମାନଙ୍କ ପୋଷାକ ଚିରି ଦେଇଥିଲେ। ୨୦ ଜଣ ଲୋକ ଫାଙ୍କା ଗୁଳିଚାଳନା କରୁଥି‌ଲେ। ତାଙ୍କ ଭାଇ ଉପରେ ପ୍ରଥମେ ଏକ ଟ୍ରାକ୍ଟର ଓ ପରେ ଥାର୍‌ ମଡ଼ାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଧାକଡ଼ ପଡ଼ି ରହିଥିଲେ ବି ଅଭିଯୁକ୍ତ ତାଙ୍କୁ ହସ୍ପିଟାଲ ନେବାକୁ ଦେଇନଥିଲେ। ଧାକଡ଼ଙ୍କୁ ବହୁ ବିଳମ୍ବରେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ନାଗର, ତାଙ୍କ ପରିବାରର ତିନି ମହିଳା ଏବଂ ଅନ୍ୟ ୧୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ମୃତକଙ୍କ ପରିବାରର ବୟାନ ରେକର୍ଡ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ କରୁଛି। କଂଗ୍ରେସ ବିଧାୟକ ଋଷି ଅଗ୍ରୱାଲ ଏହି ଘଟଣାକୁ ନିନ୍ଦା କରିବା ସହ ରାଜ୍ୟରେ ହିଂସା ବଢ଼ି ଚାଲିଛି ବୋଲି କହିଛନ୍ତି।