ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅବସାନ ଘଟାଇବାକୁ ଆଜି ବିଜେପି ତତ୍ପରତା ଦେଖାଇଛି। ମହାରାଷ୍ଟ୍ରରେ ଚଳିତ ବିଧାନସଭାର କାର୍ଯ୍ୟକାଳ ୯ ନଭେମ୍ବରରେ ଶେଷ ହେଉଥିବା ବେଳେ ଏ ପର୍ଯ୍ୟନ୍ତ ସରକାର ଗଠନ ନେଇ ସ୍ଥିତି ସ୍ପଷ୍ଟ ହୋଇପାରୁ ନାହିଁ। ଏଭଳି ସ୍ଥିତିରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ସମ୍ବିଧାନ ବିଶେଷଜ୍ଞଙ୍କ ସହିତ ଆଲୋଚନା ଆରମ୍ଭ କରିଦେଇଛନ୍ତି। ଦୁଇ ଦିନ ଭିତରେ ସରକାର ଗଠନକୁ ନେଇ ସ୍ଥିତି ସ୍ପଷ୍ଟ ନହେଲେ ଦେବେନ୍ଦ୍ର ଫଡନାଭିସ୍ଙ୍କ କାର୍ଯ୍ୟକାଳ ଆଉ ୧ ସପ୍ତାହ ବଢ଼ିପାରେ ବୋଲି କୁହାଯାଉଛି। ତେବେ ମହାରାଷ୍ଟ୍ରରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ ସମ୍ଭାବନା ନାହିଁ। ଯଦି କୌଣସି ଦଳ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୁହନ୍ତି, ସେଭଳି ପରିସ୍ଥିତିରେ ହିଁ ରାଷ୍ଟ୍ରପତି ଶାସନ ଲାଗୁହେବ।
ଆଜି ବିଜେପିର ବରିଷ୍ଠ ନେତାମାନେ ରାଜ୍ୟପାଳଙ୍କୁ ଭେଟି ସାଂପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ସରକାର ଗଠନ ନେଇ ସମ୍ଭାବ୍ୟ ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ପ୍ରଦେଶ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ରାଜ୍ୟପାଳଙ୍କ ସହିତ ସରକାର ଗଠନ ନେଇ ବିଭିନ୍ନ ଆଇନଗତ ଏବଂ ରାଜନୈତିକ ଦିଗଗୁଡ଼ିକ ବାବଦରେ ଆଲୋଚନା ହୋଇଛି। ଖୁବ୍ଶୀଘ୍ର ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ହେବ ବୋଲି ପାଟିଲ କହିଛନ୍ତି। ବରିଷ୍ଠ ନେତା ସୁଧୀର ମୁନ୍ଗଣ୍ଟିୱାର କହିଛନ୍ତି, ଶିବସେନା ନିଜର ଅନାବଶ୍ୟକ ଜିଦ୍ ଛାଡ଼ି ତୁରନ୍ତ ସହଯୋଗର ହାତ ବଢ଼ାଇବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସଙ୍କୁ ଗ୍ରହଣ କରିବାରେ ଶିବସେନାର ଯଦି କିଛି ସମସ୍ୟା ନାହିଁ ତା’ହେଲେ ଅଯଥା ବିବାଦ ସୃଷ୍ଟି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି କହିଛନ୍ତି ଯେ ସେ କେନ୍ଦ୍ରରେ ତାଙ୍କ ପଦକୁ ନେଇ ସନ୍ତୁଷ୍ଟ ଅଛନ୍ତି ଏବଂ ରାଜ୍ୟ ରାଜନୀତିକୁ ଏବେ ଫେରିବେ ନାହିଁ। ଦେବେନ୍ଦ୍ର ଫଡନାଭିସ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ଏବଂ ଏ ଦିଗରେ ରହିଥିବା ପ୍ରତିବନ୍ଧକ ଖୁବଶୀଘ୍ର ହଟିବ ବୋଲି ଗଡ଼କରୀ କହିଛନ୍ତି। ରାଜ୍ୟପାଳ ଆଜି ମହାରାଷ୍ଟ୍ରର ଏଡ୍ଭୋକେଟ ଜେନେରାଲ ଆଶୁତୋଷ କୁମ୍ଭକୋଣିଙ୍କ ସହ ସାଂପ୍ରତିକ ରାଜନୈତିକ ସ୍ଥିତିରେ ନିଆଯିବାକୁ ଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/452647-koshiyari.jpg)