କଂଗ୍ରେସ ହାତରୁ ଯିବ ‘ହାତ ଚିହ୍ନ’ ! ନିର୍ବାଚନ କମିସନଙ୍କୁ ଅାବେଦନ କଲେ ବିଜେପି ନେତା

ନୂଆଦିଲ୍ଲୀ: ଭାରତର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ନିଜର ଲମ୍ବା ଇତିହାସ ମଧ୍ୟରେ ଅନେକ ଉତଥାନ ପତନ ଦେଇ ଗତି କରିଛି । ନିଜର ଏହି ଦୀର୍ଘ ଶାସନକାଳ ମଧ୍ୟରେ ଦେଶର ପ୍ରତି କୋଣରେ ପହଞ୍ଚିପାରିଛି । କଂଗ୍ରେସ ଦଳ ସହ ଏହାର ନିର୍ବାଚନୀ ଚିହ୍ନ ହାତ ଚିହ୍ନର ସଂପର୍କରେ ମଧ୍ୟ ପୁରୁଣା । ଦେଶରେ ଅଧିକାଂଶ କଂଗ୍ରେସ କହିଲେ ହାତ ଚିହ୍ନକୁ ହିଁ ବୁଝନ୍ତି ବା ହାତ ଚିହ୍ନ କହିଲେ କଂଗ୍ରେସକୁ ବୁଝନ୍ତି । କିନ୍ତୁ କଂଗ୍ରେସ ଦଳର ଏହି ହାତ ଚିହ୍ନ ପ୍ରତି ବିପଦ ଆସିବା ଭଳି ମନେହେଉଛି। । କାରଣ କଂଗ୍ରେସ ଦଳରୁ ଏହି ଚିହ୍ନକୁ ବାତିଲ କରିବାକୁ ବିଜେପି ପକ୍ଷରୁ ଆବେଦନ କରାଯାଇଛି । ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ କରିଛନ୍ତି ।

ନିର୍ବାଚନ କମିସନଙ୍କ ନିକଟକୁ ପଠାଇଥିବା ଏକ ୬ ପୃଷ୍ଠାର ଆବେଦନରେ ସେ କହିଛନ୍ତି ଯେ କଂଗ୍ରେସର ହାତ ଚିହ୍ନ ଜନପ୍ରତିନିଧି ଆଇନ ଓ ନିର୍ବାଚନ ଆଚରଣବିଧିର ଉଲ୍ଲଙ୍ଘନ କରୁଛି । ସେ ନିଜର ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନ ଓମ ପ୍ରକାଶ ରାଓ୍ଵତଙ୍କୁ ଭେଟିଛନ୍ତି ।
ନିଜର ଆବେଦନରେ ସେ କହିଛନ୍ତି ଯେ କେବଳ ହାତଚିହ୍ନ ହିଁ ଏପରି ଏକ ନିର୍ବାଚନୀ ଚିହ୍ନ ଯାହାକି ମଣିଷ ଶରୀରର ଏକ ଅଂଗ । ଏହା ସବୁବେଳେ ମଣିଷ ସହିତ ରହିଥାଏ । ଆଦର୍ଶ ଆଚରଣ ବିଧି ଅନୁସାରେ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସବୁ ଦଳ ନିଜର ପ୍ରଚାର ପରିତ୍ୟାଗ କରିବେ । ପୁଣି ଜନ ପ୍ରତିନିଧି ଆଇନର ଧାରା ୧୩୦ ଅନୁସାରେ ଭୋଟ ଗ୍ରହଣ ଦିନ ଭୋଟକେନ୍ଦ୍ରର ୧୦୦ ମିଟର ପରିସୀମା ମଧ୍ୟକୁ ନିର୍ବାଚନୀ ସଂକେତ ନେଇ ହେବ ନାହିଁ । କିନ୍ତୁ ହାତ ଚିହ୍ନ ଏପରି ଏକ ଚିହ୍ନ ଯାହାଦ୍ୱାରା ଉପରୋକ୍ତ ଆଇନର ଉଲ୍ଲଙ୍ଘନ କରିହେବ । ଜଣେ ସାଧାରଣ ଭାବେ ହାତ ହଲେଇ ବା ହାତରେ ସଂକେତ କରି ଭୋଟ କେନ୍ଦ୍ର ମଧ୍ୟରେ ଲୋକଙ୍କୁ ପ୍ରଭାବିତ କରି ପାରିବ ।

ନିର୍ବାଚନ ଆୟୋଗ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ସୁପ୍ରିମ କୋର୍ଟରେ ଆବେଦନ କରିବେ ବୋଲି ଉପାଧ୍ୟାୟ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ମୂଳରୁ କଂଗ୍ରେସ ଦଳର ନିର୍ବାଚନୀ ସଂକେତ ହାତ ନଥିଲା । ୧୯୭୦ ପୂର୍ବରୁ କଂଗ୍ରେସ ଦଳର ଚିହ୍ନ ଥିଲା ଦୁଇଟି ବାଛୁରୀ । କିନ୍ତୁ ୧୯୭୦ରେ ଇନ୍ଦିରାଗାନ୍ଧିଙ୍କୁ ହାତ ଚିହ୍ନ ସଂକେତ ମିଳିଥିଲା ।

ସମ୍ବନ୍ଧିତ ଖବର