ମଧ୍ୟପ୍ରଦେଶରେ ବି‌ଜେପି ନେତାଙ୍କୁ ହତ୍ୟା: କମଲ୍‌ନାଥଙ୍କୁ ଶିବରାଜଙ୍କ ପତ୍ର

ଇ‌ନ୍ଦୋର : ମଧ୍ୟପ୍ରଦେଶରେ୨୪ ଘଣ୍ଟା  ମଧ୍ୟରେ ଦୁଇ ଦୁଇଟି ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟର ଜଣେ ଜଣାଶୁଣା ବିଜେପି ନେତା ଏବଂ ବିଜେପି ସମର୍ଥକ ଜଣେ ବ୍ୟବସାୟୀଙ୍କୁ  ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ମଧ୍ୟପ୍ର‌ଦେଶର ମଣ୍ଡସର ପୌର ଅଧ୍ୟକ୍ଷ ପ୍ରହ୍ଲାଦ ବଧୱାର ଏବଂ ଜଣେ ସ୍ଥାନୀୟ ବ୍ୟବସାୟୀ ସନ୍ଦୀପ ଅଗ୍ରୱାଲ୍‌ଙ୍କୁ ଗତକାଲି ହତ୍ୟା କରାଯାଇଛି। ହତ୍ୟା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ମୁଖ୍ୟମନ୍ତ୍ରୀ କମଲ୍‌ନାଥଙ୍କୁ ପତ୍ର ଲେଖି  ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଚୌହାନ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସରକାର ଆସିବାପରେ ରାଜ୍ୟରେ ଅପରାଧୀମାନେ ହଠାତ୍‌ ସକ୍ରିୟ ହୋଇଯାଇଛନ୍ତି। କିନ୍ତୁ ଉଚ୍ଚସ୍ତରୀୟ ତଦନ୍ତ ନେଇ ଚୌହାନ ଯେଉଁ ଦାବି କରିଛନ୍ତି ଏହାକୁ ପ୍ରତ୍ୟାଖ୍ୟାନ କରି କମଲ୍‌ନାଥ କହିଛନ୍ତି ଯେ ମୃତକଙ୍କ ପୁଅ ଏଫ୍‌ଆଇଆରେ ଅଭିୁଯୁକ୍ତଙ୍କ ନାମ ଉଲ୍ଲେଖ କରିଥିବାରୁ ଉକ୍ତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ  ଆବଶ୍ୟକ  ନାହିଁ।  ସୂଚନାନୁଯାୟୀ ବିଜେପି ନେତା ପ୍ରହ୍ଲାଦ ବଧୱାରଙ୍କୁ ମନିଶ ବୈରାଗୀ ନାମକ ଜଣେ ବ୍ୟକ୍ତି ହତ୍ୟା କରିଥିବା ଜଣାପଡ଼ିଛି। ଜମି ବିବାଦ ନେଇ ବୈରାଗି ପ୍ରହ୍ଲାଦଙ୍କୁ ହତ୍ୟା କରିଥିବା‌ କୁହାଯାଉଛି। ଅନ୍ୟପ‌କ୍ଷରେ ଅଗ୍ରୱାଲ୍‌ଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ୭ଟି ଟିମ୍‌ ଗଠନ ହୋଇଛି। ହତ୍ୟା ଘଟଣାରେ ପୁଲିସ ଏବେ  ୩୦ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି।

ସମ୍ବନ୍ଧିତ ଖବର