ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନରେ ଜଣେ ବିଜେପି  ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବିଜେପି ନେତାଙ୍କ ନାମ ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନା ଶର୍ମା ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି। 

Advertisment

ସୂଚନାଯୋଗ୍ୟ, ବିଜେପି ନେତା ଥିବା ମୁନା ଶର୍ମାଙ୍କ ପୁଅଙ୍କ ଗତକାଲି ନିର୍ବନ୍ଧ ଥିଲା। ନିର୍ବନ୍ଧ ଶେଷ ହେବାପରେ ନିଜନିଜ ଘରକୁ ବାହାରିଥିବା ବନ୍ଧୁବାନ୍ଧବଙ୍କୁ ଛାଡ଼ିବାକୁ ମୁନା ଶର୍ମା ଗାଡ଼ି ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିଲେ ।  ମୁନା କିଛି ବନ୍ଧୁଙ୍କୁ ଅଟୋରେ ବସାଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ତିନିଜଣ ଦୁର୍ବୃତ୍ତ ତାଙ୍କ ନିକଟକୁ ହଠାତ ବାଇକ ନେଇ ପହଞ୍ଚି ଯାଇଥିଲେ।

ମୁନାଙ୍କୁ ରାସ୍ତାରେ ଯିବାକୁ ଦେଇ ନଥିଲେ। ଯାହାକୁ ନେଇ ମୁନା ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।  ଏହାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ରାଗି ଯାଇ ମୁନା ଶର୍ମାଙ୍କ ଉପରକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଉକ୍ତରାସ୍ତା ‌ଦେଇ ଯାଉଥିବା କିଛି ଲୋକ ମୁନା ଶର୍ମାଙ୍କୁ ଚିହ୍ନି ତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ।ଖବର ପାଇ ପରିବାରଲୋକ ଘଟଣାସ୍ଥଳ‌ରେ ପହଞ୍ଚି ମୁନା ଶର୍ମାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

ମୁନାଙ୍କ ମୃତ୍ୟୁପ‌ରେ ପରିବାରଲୋକ ଥାନାରେ ଏକ ମାମଲା ରୁଜୁ କରୁଛନ୍ତି। ଯାହାକୁ କେନ୍ଦ୍ର କରି ପୁଲିସ ଯାଞ୍ଚ କରୁଛି।  ଚୌକ ପୁଲିସ୍ ଷ୍ଟେସନର ମୁଖ୍ୟ ଶଶୀ କୁମାର ରାଣା କହିଛନ୍ତି, ମୁନା ଶର୍ମାଙ୍କୁ ଗୁଳି କରାଯାଇଥିବା ନେଇ ଆମେ ଆଜି ସକାଳ ପ୍ରାୟ ୬ଟା ୧୫ରେ ଖବର ପାଇଥିଲୁ। ଘଟଣାସ୍ଥଳ ଆଖପାଖରେ ଥିବା ସିସିଟିଭିଗୁଡ଼ିକୁ ଏକ ସ୍ୱତନ୍ତ୍ର ଟିମ୍ ଯାଞ୍ଚ କରୁଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ପୁଲିସ କାବୁ କରି ପଚରାଉଚରା କରୁଛି। ଉକ୍ତ ଅଭିଯୁକ୍ତ ଠାରୁ ପୁଲିସ ଅନେକ ତଥ୍ୟ ସଂଗ୍ରହ କରିବ ବୋଲି ପୁଲିସ ଆଶା ରଖିଛି।