ବିଜେପିର ଦିଗ୍ଗଜ ନେତା ମୂରଲୀ ମନୋହର ଯୋଶୀଙ୍କ ବୟାନକୁ କେନ୍ଦ୍ର କରି ଦଳ ମଧ୍ୟରେ କମ୍ପନ; ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପର୍କରେ କ’ଣ କହିଲେ ଯୋଶୀ…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଦିଗ୍ଗଜ ନେତା ତଥା ଦଳର ପ୍ରାକ୍ତନ ସଭାପତି ମୂରଲୀ ମନୋହର ଯୋଶୀ ଦେଇଥିବା ଏକ ବୟାନକୁ କେନ୍ଦ୍ର କରି ଆଜି ଦଳ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି।

ଦଳର ବରିଷ୍ଠ ନେତା ଶ୍ରୀ ଯୋଶୀ କହିଛନ୍ତି ଯେ ସାଂପ୍ରତିକ ପରିସ୍ଥିତିରେ ଦେଶ ଏପରି ଜଣେ ନେତାଙ୍କୁ ଆବଶ୍ୟକ କରୁଛି, ଯିଏକି ଭୟଶୂନ୍ୟ ଭାବେ ନୈତିକତା ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତର୍କ ବିତର୍କ କରିପାରିବେ। ଗତ ଜୁଲାଇ ୨୮ ତାରିଖରେ ପରଲୋକ ଗମନ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌. ଜୟପାଲ ରେଡ୍ଡୀଙ୍କ ସ୍ମୃତିଚାରଣ ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ବିଜେପିର ଦିଗ୍ଗଜ ନେତା ଶ୍ରୀ ଯୋଶୀ।

ଶ୍ରୀ ଯୋଶୀ କହିଛନ୍ତି, ‘ମୁଁ ଭାବୁଛି, ସାଂପ୍ରତିକ ପରିସ୍ଥିତିରେ ଦେଶ ଏପରି ଜଣେ ନେତା ଓ ନେତୃତ୍ୱର ଆବଶ୍ୟକତା ରଖୁଛି, ଯିଏକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ହେବେ କି ରାଗିବେ ନ ଭାବି ତାଙ୍କ ସମ୍ମୁଖରେ ଭୟଶୂନ୍ୟ ଭାବେ ନୀତି ଓ ନୈତିକତା ଆଧାରରେ ନିଜର ଯୁକ୍ତି ଉପସ୍ଥାପନ କରିବା ସହ ତାଙ୍କ ସହିତ ତର୍କ ବିତର୍କ କରିପାରିବାର କ୍ଷମତା ରଖିଥିବେ’।

ଉଲ୍ଲେଖଯୋଗ୍ୟ ମୂରଲୀ ମନୋହର ଯୋଶୀ ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ। ତାଙ୍କ ଅଧ୍ୟକ୍ଷତା କାଳରେ ତାଙ୍କ ନେତୃତ୍ୱରେ ସମଗ୍ର ଦେଶରେ ଦଳ ପକ୍ଷରୁ ଏକତା ଯାତ୍ରାର ଆୟୋଜନ କରା ଯାଇଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ସମୟରେ ଏ କାର୍ଯ୍ୟକ୍ରମରେ ଦଳର ଜଣେ ସଂଗଠକ ଭାବେ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର