ସିନ୍ଧିଆଙ୍କ ଟ୍ବିଟର ଆକାଉଣ୍ଟ୍‌ରୁ ବିଜେପି ଗାଏବ!

କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ଟ୍ବିଟର ପ୍ରେଫ‌ାଇଲ୍‌ରୁ ବିଜେପିକୁ ହଟାଇ ଦେଇଛନ୍ତି। ସିନ୍ଧିଆଙ୍କ ଆକାଉଣ୍ଟ୍‌‌ରେ ପୂର୍ବପରି କୌଣସି ରାଜନୈତିକ ବିସ୍ତୃତ ବିବରଣୀ ନାହିଁ। ତେଣୁ ସିନ୍ଧିଆଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ସିନ୍ଧିଆ ପୁଣିଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି କୁହାଯାଉଛି। ସିନ୍ଧିଆଙ୍କ ବନ୍ଧୁ ବାଳେନ୍ଦୁ ଶୁକ୍ଳା ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେବା ପରେ ସିନ୍ଧିଆଙ୍କୁ ନେଇ ଏଭଳି ଖବର ଆସିଛି।

ଜ୍ୟୋତିରାଦିତ୍ୟଙ୍କ ସହ ମତଭେଦ ହେବାପରେ ବାଳେନ୍ଦୁ ଶୁକ୍ଳା ୨୦୦୮ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ସେ ଏବେ ପୁଣିଥରେ କଂଗ୍ରେସ‌ରେ ଯୋଗ ଦେଇଛନ୍ତି। ଏଭଳି ଏକ ସମୟରେ ସିନ୍ଧିଆଙ୍କୁ ନେଇ ଯେଉଁ ଖବର ଆସିଛି ତାହାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଅନ୍ୟପକ୍ଷେ ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସିନ୍ଧିଆ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ କେବେ ବି ବିଜେପି ଯୋଡ଼ିନଥିଲେ। ସିନ୍ଧିଆଙ୍କ ସମର୍ଥକ କ୍ରୀଷ୍ଣା ରାଠୋର କହିଛନ୍ତି, ତାଙ୍କ ଟ୍ବିଟର ଆକାଉଣ୍ଟ୍‌ରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ସିନ୍ଧିଆ ମଧ୍ୟ ରାଠୋରଙ୍କ ଟ୍ବିଟ୍‌କୁ ରିଟ୍ବିଟ୍‌ କରି କହିଛନ୍ତି ଯେ, ତାଙ୍କ ଟ୍ବିଟର ଆକାଉଣ୍ଟ୍‌ରେ କୌଣସି ପ୍ରକା‌ର ପରିବର୍ତ୍ତନ କରାଯାଇନି ଏବଂ ଯେଉଁ ଖବର ପ୍ରସାର ହୋଇଛି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ।

ସମ୍ବନ୍ଧିତ ଖବର