ଉତ୍ତରପ୍ରଦେଶ : ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଆଜି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବାଗପତ ଜିଲ୍ଲା ଛପ୍ରୌଲି ଠାରେ ପୂର୍ବତନ ଜିଲ୍ଲା ବିଜେପି ମୁଖ୍ୟ ତଥା ସ୍ଥାନୀୟ ନେତା ସଂଜୟ ଖୋକାର ଆଜି ସକାଳେ ନିଜ ଜମିରେ ପ୍ରାତଃ ଭ୍ରମଣ କରୁଥିବାବେଳେ ତାଙ୍କୁ ୩ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି କରିଥିଲେ । ଏହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ନେତାଙ୍କ ମୃତ୍ୟୁରେ ଶୋକ ପ୍ରକଟ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗୁଳି କରିଥିବା ବ୍ୟକ୍ତିମାନଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରିନାହିଁ । ବାଗପତରେ ବିଜେପି ନେତାଙ୍କୁ ଟାର୍ଗେଟ କରାଯିବା ଏହା ପ୍ରଥମ ଘଟଣା ନୁହେଁ । ଗତ ଜୁନ ମାସରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ପୁଅକୁ ଗୁଳି କରି ହତ୍ୟା କରାଯାଇଥିଲା ।

ଗତ ରବିବାରଦିନ ଉତ୍ତରପ୍ରଦେଶର ସ୍ୱତନ୍ତ୍ର ଟାକ୍ସଫୋର୍ସ ୨୦୦୫ରେ ହୋଇଥିବା ବିଜେପି ନେତା କୃଷ୍ଣାନନ୍ଦ ରାଏଙ୍କ ହତ୍ୟା ଅଭିଯୁକ୍ତ ରାକେଶ ପାଣ୍ଡେକୁ ଏନକାଉଣ୍ଟର କରିଥିଲା । ଲକ୍ଷ୍ନୌର ସରୋଜିନୀ ନଗର ଥାନା ନିକଟରେ ଏହି ଏନକାଉଣ୍ଟର ହୋଇଥିଲା । ନଭେମ୍ବର ୨୯, ୨୦୦୫ରେ ଉତ୍ତରପ୍ରଦେଶର ମହମ୍ମଦାବାଦର ବିଜେପି ବିଧାୟକ ଓ ତାଙ୍କର ୫ ଜଣ କର୍ମୀଙ୍କୁ ହତ୍ୟା କରାଯାଇଥିଲା ।

ସମ୍ବନ୍ଧିତ ଖବର