ମିରଟ: ଉତ୍ତର ପ୍ରଦେଶରୁ ଆସିଛି ଏକ ଅବାକ୍ କରିନେବା ଭଳି ଭିଡ଼ିଓ। ଶାସକ ବିଜେପିର ଜଣେ କାଉନ୍ସିଲର୍ ପୋଷାକରେ ଥିବା ଜଣେ ପୁଲିସ ସବ୍ଇନ୍ସପେକ୍ଟରଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି ଏହି ଭିଡ଼ିଓରେ। କାଉନ୍ସିଲର୍ ଜଣକ ସବ୍-ଇନ୍ସପେକ୍ଟରଙ୍କୁ ଚାପୁଡା ପରେ ଚାପୁଡା କଷି ତଳେ ପକାଇ ଦେଉଥିବାର ଦୃଶ୍ୟ ଏହି ଭିଡ଼ିଓର କଏଦ ହୋଇଛି।
ଘଟଣାଟି ଘଟିଛି ମିରଟ ଜିଲ୍ଲାର କଙ୍କରଖେଦାରେ। ସ୍ଥାନୀୟ ବିଜେପି ନେତା ମନୀଷ କୁମାର ଏକ ରେସ୍ତୋରାଁ ଭିତରେ ସବ୍-ଇନ୍ସପେକ୍ଟରଙ୍କୁ ଚାପୁଡା ପରେ ଚାପୁଡା କଷୁଥିବା ନଜର ଆସୁଛନ୍ତି।
ମିଳିଥିବା ସୂଚନା ଅନୁସାରେ ମନୀଷ କୁମାରଙ୍କ ମାଲିକାନାରେ ଥିବା ରେସ୍ତୋରାଁକୁ ସବ୍-ଇନ୍ସପେକ୍ଟର ଜଣକ ଜଣେ ମହିଳା ଓକିଲଙ୍କ ସହିତ ଆସିଥିଲେ। ଏହି ମହିଳା ଓକିଲ ଜଣକ ତାଙ୍କୁ ଖାଦ୍ୟ ପରଶାରେ ହୋଇଥିବା ସମସ୍ୟା ନେଇ ଜଣେ େଓ୍ଵଟରଙ୍କୁ ଗାଳିଦେବାକୁ ଲାଗିଲେ। ଏହାପରେ ଆରମ୍ଭ ହୋଇଗଲା କଥା କଟାକଟି।ପୁଲିସ ବାବୁ ଜଣକ ମଧ୍ୟ େଓ୍ଵଟରଙ୍କୁ ଗାଳିଗୁଲଜ କଲେ। ତାଙ୍କ ରେସ୍ତୋରାଁରେ ଏଭଳି କାଣ୍ଡ ଦେଖି ମନୀଷ କୁମାର ଘଟଣାରେ ହସ୍ତକ୍ଷେପ କଲେ। ଏହାପରେ ପୁଲିସ ବାବୁ ଓ ତାଙ୍କ ଭିତରେ ବଚସା ହେଲା। ଏହାପରେ ରାଗରେ ମନୀଷ କୁମାର ପୁଲିସ ସବ୍-ଇନ୍ସପେକ୍ଟରଙ୍କୁ ରାଗରେ ପିଟିଥିଲେ।
ଏହାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣିଥିଲେ। ମହିଳା ଓକିଲଙ୍କ ଅଭିଯୋଗ କ୍ରମେ ବିଜେପି କାଉନ୍ସିଲ୍ରଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ରେସ୍ତୋରାଁ କର୍ମଚାରୀ ଅଭିଯୋଗ କରିଛନ୍ତି କି ସବ୍-ଇନ୍ସପେକ୍ଟର ଜଣକ ନିଜର ପିସ୍ତଲ ବାହାର କରି ସେମାନଙ୍କୁ ଧମକ ଦେଇଥିଲେ।