ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ପିତା କହି ନିଲମ୍ବିତ ହେଲେ ବିଜେପି ନେତା

ଭୋପାଳ :  ମଧ୍ୟପ୍ରଦେଶର ଅନ୍ୟ ଜଣେ ବିଜେପି ନେତା ଅନିଲ ସୌମିତ୍ର ମହାତ୍ମା‌ ଗାନ୍ଧୀଙ୍କୁ ପାକିସ୍ତାନର ପିତା ବୋଲି କହି ଦଳର ଅଡ଼ୁଆ ବଢ଼ାଇଛନ୍ତି। ମଧ୍ୟପ୍ରଦେଶରେ ବିଜେପି ମୁଖପାତ୍ର ଅନିଲ ସୌମିତ୍ରଙ୍କ ଏହି ବୟାନ ପାଇଁ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଉଲ୍ଲେଖଯୋଗ୍ୟ ସୌମିତ୍ର ଏକ ଫେସବୁକ୍‌ ପୋଷ୍ଟ୍‌‌ରେ କହିଥିଲେ ଯେ ମହାତ୍ମା ଗାନ୍ଧୀ ପାକିସ୍ତାନର ପିତା। ତେବେ ସାଧ୍ବୀ ପ୍ରଜ୍ଞା ଠାକୁର ତାଙ୍କ ବୟାନ ପାଇଁ କ୍ଷମା ମାଗିଥିଲେ ସୁଦ୍ଧା ଅନିଲ ଫେସବୁକ୍‌ରେ କରିଥିବା ପୋଷ୍ଟ୍‌କୁ ଯଥାର୍ଥ ବୋଲି କହିଛନ୍ତି। ସେ କହିଛନ୍ତି ଭାରତୀୟ ସଂସ୍କୃତିରେ ଜାତିର ପିତା ଭଳି କିଛି ବ୍ୟବସ୍ଥା ନାହିଁ। ଆମେମାନେ ସମସ୍ତେ ଭାରତ ମାତାର ସନ୍ତାନ। ଜାତିର ପିତା ଶବ୍ଦ କଂଗ୍ରେସ ଦ୍ବାରା ଆରମ୍ଭ ହୋଇଥିଲା ଏବଂ ଏହା ଏଯାବତ୍‌ ଚାଲି ଆସିଛି। ‌‌ସୌମିତ୍ର ନିଜ କଥାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି ଯେ ମହାତ୍ମା ଗାନ୍ଧୀ ପାକିସ୍ତାନ ସୃ‌ଷ୍ଟି କରିବାପାଇଁ ଉଭୟ ଜବାହରଲାଲ୍‌ ନେହରୁ ଏବଂ ମହମ୍ମଦ ଅଲି ଜିନ୍ନାଙ୍କୁ ସାହାଯ୍ୟ କରିଥିଲେ। ତେଣୁ ଗାନ୍ଧୀଙ୍କୁ ପାକିସ୍ତାନର ପିତା କୁହାଯିବ। ସୌମିତ୍ର ଏଭଳି ପୋଷ୍ଟ୍‌ କରିବା ପରେ ତାଙ୍କୁ ବିଜେପି ତୁରନ୍ତ ନିଲମ୍ବନ କରିଛି।

ସମ୍ବନ୍ଧିତ ଖବର