ମୋ ଶରୀରକୁ ଛୁଅଁ ନାହିଁ, ମୁଁ ଜଣେ ପୁରୁଷ; ମହିଳା ପୁଲିସକର୍ମୀଙ୍କୁ ଏଭଳି କହିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ମଙ୍ଗଳବାର ଦିନ କୋଲକାତା ରାସ୍ତାରେ ବିଜେପି ନେତା ଓ ପୁଲିସ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ବିଜେପିର ‘ନବନ୍ନା ଅଭିଯାନ’ ସମୟରେ କୋଲକାତା ରାସ୍ତାରେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲା। ଏମିତି କି ପୁଲିସ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା। ଏହି ହିଂସାତ୍ମକ ପ୍ରଦର୍ଶନ ସମୟରେ ପୁଲିସ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନେକ ବିରୋଧୀ ନେତାଙ୍କୁ ଅଟକ ରଖିଥିଲା। ତେବେ ବିକ୍ଷୋଭ ସମୟରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କର ରେକର୍ଡ ହୋଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶୁଭେନ୍ଦୁ ଅଧିକାରୀ ମହିଳା ପୁଲିସ କର୍ମଚାରୀଙ୍କୁ ନଛୁଇଁବାକୁ କହୁଛନ୍ତି।

ସୂଚନା ମୁତାବକ, ମହିଳା ପୁଲିସ କର୍ମଚାରୀମାନେ ନିଜ ଟିମ୍ ସହିତ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟ‌ରେ ଜଣେ ମହିଳା ପୁଲିସକର୍ମୀ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଧକ୍କା ଖାଇବାରୁ ଶୁଭେନ୍ଦୁ ଅଧିକାରୀ କହିଥିଲେ, ମୋ ଶରୀରକୁ ସ୍ପର୍ଶ କର ନାହିଁ। ଆପଣ ଜଣେ ମହିଳା ଓ ମୁଁ ଜଣେ ପୁରୁଷ।

ତେବେ ଅଧିକାରୀଙ୍କ ଏହି ଭିଡିଓ ଟିଏମସି ଦ୍ୱାରା ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରାଯାଇଛି। କ୍ୟାପସନରେ ଏହା ମଧ୍ୟ ଲେଖା ଅଛି, ବିଜେପିର ୫୬ଇଞ୍ଚ ଛାତି ମଡେଲର ପର୍ଦ୍ଦାଫାଶ ହୋଇଛି।

ସମ୍ବନ୍ଧିତ ଖବର