ପୁଣେ : ଆତଙ୍କବାଦୀ ଓ ଦେଶବିରୋଧୀ କାର୍ଯ୍ୟକଳାପ ସହ ସମ୍ପୃକ୍ତି ଅଭିଯୋଗରେ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ) ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ସମ୍ପ୍ରତି ଦେଶସାରା ବିଭିନ୍ନ ସ୍ଥାନରେ ଚଢ଼ଉ ଓ ଗିରଫଦାରି ଚାଲିଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରି ପୁଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିବା ଦେଖିବାକୁ ମିଳିଛି। ଏହି ସମୟରେ କିଛି ଲୋକ ‘ପାକିସ୍ତାନ ଜିନ୍ଦାବାଦ’ ଧ୍ବନି ଦେଇଥିଲେ। ଏହାକୁ ଲକ୍ଷ୍ୟ କରି ବିଜେପି ବିଧାୟକ ନିତେଶ ରାଣେ ଟ୍ବିଟରରେ ଚେତାବନୀ ଦେଇ କହିଛନ୍ତି ଯେ ପୁଣେରେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଉଥିବା ଲୋକମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ପାକିସ୍ତାନ ଜିନ୍ଦାବାଦ ଧ୍ବନି ଦେଉଥିବା ଲୋକଙ୍କ ଉଦ୍ଦେଶ୍ୟରେ ରାଣେ ଟ୍ବିଟ କରିଛନ୍ତି ‘ଚୁନ୍‌ ଚୁନ୍‌ କର ମାରେଙ୍ଗେ..ଇତନା ୟାଦ ରଖନା!!’ ପରେ ରାଣେ ମହାରାଷ୍ଟ୍ର ସରକାରଙ୍କୁ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରି ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ବିଜେପି ବିଧାୟକ ରାମ ସତପୁତେ ମଧ୍ୟ ପାକିସ୍ତାନ ସପକ୍ଷବାଦୀ ଧ୍ବନି ଦେଇଥିବା ଲୋକଙ୍କୁ ପୁଣେ ପୁଲିସ ଗିରଫ କରିବା ଉଚିତ ବୋଲି କହିଛନ୍ତି।