ମଧ୍ୟପ୍ରଦେଶ ଉପନିର୍ବାଚନ : ୧୮ଟି ଆସନରେ ବିଜେପି ଆଗୁଆ, କଂଗ୍ରେସ ନିରାଶ

ଭୁବନେଶ୍ବର : ବିହାର ନିର୍ବାଚନ ବ୍ୟତୀତ ଆଉ ଏକ ରାଜ୍ୟରେ ହୋଇଥିବା ନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ତାହା ହେଉଛି ମଧ୍ୟପ୍ରଦେଶ । ରାଜ୍ୟର ୨୮ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଉପରେ ଶିବରାଜ ସିଂ ଚୌହାନ ସରକାରର ଭାଗ୍ୟ ନିର୍ଭର କରୁଛି ।

ନିର୍ବାଚନ ଆୟୋଗ ଦ୍ବାରା ଜାରି ସର୍ବଶେଷ ରିପୋର୍ଟ ଅନୁସାରେ ବିଜେପି ୧୮ଟି ଆସନରେ ଓ କଂଗ୍ରେସ ୮ଟି ଆସନରେ ଆଗୁଆ ଚାଲିଛି । ସରକାର ବଞ୍ଚାଇବାକୁ ବିଜେପି ଅତି କମରେ ୯ଟି ଆସନରେ ଜିତିବା ଆବଶ୍ୟକ ପଡ଼ୁଥିବାବେଳେ  ୧୮ଟି ଆସନରେ ଆଗୁଆ ରହିବା ଦଳକୁ ଆଶ୍ବସ୍ତ କରିଛି ।

ଅନ୍ୟପକ୍ଷରେ ପୁଣି ସରକାର ଗଢିବାକୁ ହେଲେ କଂଗ୍ରେସକୁ ୨୮ଟି ଆସନ ଜିତିବାକୁ ଆବଶ୍ୟକ ଥିବାବେଳେ ମାତ୍ର ୮ଟି ଆସନରେ ଆଗୁଆ ରହିବା କଂଗ୍ରେସକୁ ନିରାଶ କରିଛି ।

ଚଳିତ ବର୍ଷ ଆରମ୍ଭରେ ମଧ୍ୟପ୍ରଦେଶରେ  ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ ୨୫ ଜଣ କଂଗ୍ରେସ ବିଧାୟକ ଦଳ ଛାଡିବା ପରେ ରାଜ୍ୟରେ ଥିବା କମଳନାଥ ସରକାରର ପତନ ହୋଇଥିଲା । ସେହିପରି ଆଉ ୩ ଜଣ ବିଧାୟକଙ୍କ ମୃତ୍ୟୁପରେ ରାଜ୍ୟ ବିଧାନସଭାରେ ମୋଟ ୨୮ଟି ଆସନ ଖାଲି ପଡ଼ିଛି । ୨୦୧୮ ନିର୍ବାଚନରେ ଏହି ୨୮ଟି ଆସନ ମଧ୍ୟରୁ କଂଗ୍ରେସ ୨୭ଟି ଆସନ ଜିତିଥିଲା ।

୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପିର ଏବେ ୧୦୭ ଜଣ ବିଧାୟକ ଅଛନ୍ତି  । ଉପ-ନିର୍ବାଚନ ପରେ ସରକାର ବଞ୍ଚାଇବାକୁ  ବିଜେପିକୁ ଆଉ ୯ ଜଣ ବିଧାୟକଙ୍କ ସମର୍ଥନ ଦରକାର । ଅନ୍ୟପକ୍ଷରେ କଂଗ୍ରେସର ଏବେ ୮୮ ଜଣ ବିଧାୟକ ଥିବାବେଳେ ସରକାର ଗଢିବାକୁ ସମସ୍ତ ୨୮ଟି ଆସନରେ ଜିତିବାକୁ ହେବ ।

ସମ୍ବନ୍ଧିତ ଖବର