ମୋର୍ବୀ: ଝୁଲାପୋଲ ଛଡ଼ିପଡ଼ିବାରୁ ଅନ୍ୟୂନ ୧୩୦ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଗୁଜରାଟର ମୋର୍ବୀ ବିଧାନସଭା ଆସନରେ ‘ବିଜେପି’ ପ୍ରାର୍ଥୀ କାନ୍ତିଲାଲ୍ ଅମୃତୀୟ ସମ୍ପ୍ରତି ତାଙ୍କର ପ୍ରତିଦ୍ବନ୍ଦ୍ବିଙ୍କଠାରୁ ଅଗ୍ରଣୀ ଅଛନ୍ତି।
ସୂଚନାଯୋଗ୍ୟ, ଏହି ସେତୁ ଦୁର୍ଘଟଣା ପାଇଁ ଶାସକ ‘ବିଜେପି’ ତୀବ୍ର ସମାଲୋଚିତ ହୋଇଥିଲା।
ମୋର୍ବୀ ଆସନରୁ ପୂର୍ବରୁ ୫ଥର ବିଧାୟକ ହୋଇଥିବା ଅମୃତୀୟ ସେତୁ ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଥିଲେ। ବୁଡ଼ିଯାଉଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ସେ ମଧ୍ୟ ନଈକୁ ଡେଇଁ ପହଁରୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା।
ମୋର୍ବୀ ଆସନରେ ତାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ‘କଂଗ୍ରେସ’ ପ୍ରାର୍ଥିନୀ ଜୟନ୍ତୀ ପଟେଲ୍ ଓ ‘ଆମ୍ ଆଦ୍ମୀ ପାର୍ଟି’ର ପଙ୍କଜ ରାଣସରିୟା
/sambad/media/post_attachments/wp-content/uploads/2022/12/counting.jpg)
ମୋର୍ବୀ, ଟଙ୍କରା ଏବଂ ୱାଙ୍କାନେର୍କୁ ମିଶାଇ ମୋର୍ବୀ ବିଧାନସଭାବ ନିର୍ବାଚନ ମଣ୍ଡଳୀ ଗଠିତ। ମୋର୍ବୀରେ ପଟିଦାର ସମ୍ପ୍ରଦାୟର ପ୍ରାଧାନ୍ୟ ରହିଛି।
ଉଲ୍ଲେଖଯୋଗ୍ୟ, ୧୮୨ ଆସନବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନରେ ଗ୍ରହଣ କରାଯାଇଥିବା ଭୋଟ୍ ସବୁର ଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ, ଗୁଜରାଟ ରାଜ୍ୟରେ ‘ବିଜେପି’ ୧୪୯ଟି, କଂଗ୍ରେସ ୨୨ଟି, ‘ଆପ୍’ ୭ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗୁଆ ଅଛନ୍ତି।
ଏହି ନିର୍ବାଚନରେ ଶାସକ ‘ବିଜେପି’ ୧୮୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ‘ଆପ୍’ ୧୮୧ଟି ଓ ମୁଖ୍ୟ ବିରୋଧୀ ପାର୍ଟି କଂଗ୍ରେସ ୧୭୯ଟି ଆସନରେ ପ୍ରାର୍ଥୀ ଦେଇଥିଲା।