କର୍ଣ୍ଣାଟକ ରାଜନୀତି : ବାଚସ୍ପତିଙ୍କ ନିଷ୍ପତ୍ତି ପ୍ରତିବାଦରେ ବିଧାନସଭାରେ ରାତି ବିତାଇବେ ବିଜେପି ବିଧାୟକ

ବେଙ୍ଗାଲୁରୁ: ଦୀର୍ଘ ଏକ ମାସ ଧରି କର୍ଣ୍ଣାଟକରେ  ଲାଗି ରହିଥିବା ରାଜନୈତିକ ହଟଚମଟ  ଥମିବାର ନାଁ ନେଉନାହିଁ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଗୁରୁବାର  ଆସ୍ଥା ଭୋଟ ଗ୍ରହଣ ଲାଗି ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ  ହେଁ ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ଆଜି ରାତି ପାଇଁ କୁମାରସ୍ୱାମୀ ସରକାରଙ୍କ ଉପରୁ ସଙ୍କଟ ଟଳିଛି । ଆସନ୍ତାକାଲି ଆସ୍ଥା ଭୋଟ ହେବା ଆପାତତଃ ସ୍ଥିର ହୋଇଛି।

ତେବେ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିରୋଧ କରିଛି ବିଜେପି । କର୍ଣ୍ଣାଟକ ବିଜେପି ମୁଖ୍ୟ ବିଏସ ୟେଦ୍ୟୁରପ୍ପା କହିଛନ୍ତି, ଆସ୍ଥା ଭୋଟରେ କୁମାରସ୍ୱାମୀ ସରକାରର ନିଶ୍ଚୟ ପରାଜୟ ହେବେ । ଏ ନେଇ ଆମେ ୧୦୧ ପ୍ରତିଶତ ନିଶ୍ଚିତ ଅଛୁ । କୁମାରସ୍ୱାମୀ ସରକାର ଏବେ ବହୁମତ ହରାଇ ସାରିଛି । ସଦନରେ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ନାହିଁ କିନ୍ତୁ ବିଜେପି ୧୦୫ ସଦସ୍ୟଙ୍କ ସହ ବଡ ଦଳ ଭାବେ ଉଭା ହୋଇଛି । ତେଣୁ ଆଜି ରାତି ୧୨ଟା ବାଜି ଯାଉ ପଛେ ଆସ୍ଥାଭୋଟ ନିଶ୍ଚୟ ହେବ ବୋଲି କହିଥିଲେ ୟେଦ୍ୟୁରପ୍ପା । କିନ୍ତୁ ବାଚସ୍ପତିଙ୍କ ନିଷ୍ପତ୍ତି ପରେ ବିଜେପିକୁ ବଡ ଝଟକା ଲାଗିଛି ।

ବାଚସ୍ପତିଙ୍କ ନିଷ୍ପତିକୁ ବିରୋଧ କରିବା ସହ ବିଧାନସଭାରେ ରାତି ସାରା ବିଜେପି ବିଧାୟକ ଧାରଣାରେ ବସିବେ ବୋଲି କହିଛନ୍ତି ୟେଦ୍ୟୁରପ୍ପା । ଏହାସହ ରାତିସାରା ବିଧାନସଭାରେ ଶୋଇବୁ ବୋଲି କହିଛନ୍ତି ୟେଦ୍ୟୁରପ୍ପା । ସେଥିପାଇଁ ଗୃହରେ ବିଜେପି ବିଧାୟକଙ୍କ ପାଇଁ ଖାଇବା ଓ ଶୋଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ୟେଦ୍ୟୁରପ୍ପା ।

ସମ୍ବନ୍ଧିତ ଖବର