ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରି ନିଜର ଦ୍ୱିତୀୟ ପାଳିର କାର୍ଯ୍ୟାରମ୍ଭ କରିବା ପୂର୍ବରୁ ଦଳର ନବ ନିର୍ବାଚିତ ସାଂସଦମାନଙ୍କୁ ଗତ ଶନିବାର ଦିନ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ‘ଗତ ଥର ଆମର ନାରା ଥିଲା ସବ୍‌କା ସାଥ୍‌, ସବ୍‌କା ବିକାଶ। କିନ୍ତୁ, ଏଥରକ ଆମକୁ ଏଥିରେ ପରିବର୍ତ୍ତନ ଆଣି ଏଥିରେ ସବ୍‌କା ବିଶ୍ୱାସ୍‌କୁ ମଧ୍ୟ ଯୋଡ଼ିବାକୁ ପଡ଼ିବ। ଏବଂ ସମସ୍ତଙ୍କର ବିଶ୍ୱାସକୁ ଜିତିବାକୁ ପଡ଼ିବ।’

Advertisment

ତେବେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆହ୍ଵାନ ବୃଥା ଯାଇ ନଥିବା ଆଜି ଦେଖିବାକୁ ମିଳିଛି। ଦେଶର ସଂଖ୍ୟାଲଘୁ ସଂପ୍ରଦାୟ ମୁସଲମାନଙ୍କର ବିଶ୍ୱାସକୁ ଜିତି ସେମାନଙ୍କର ଆସ୍ଥା ଭାଜନ ହେବା ପାଇଁ ମୋଦିଙ୍କ ଆହ୍ଵାନ ପରେ ଆଜି ଠାରୁ ଉତ୍ତରାଖଣ୍ଡ ଭାରତୀୟ ଜନତା ପାର୍ଟି (ବିଜେପି) ଲାଇବ୍ରେରିରେ ଉପଲବ୍ଧ ହୋଇଛି ମୁସଲମାନମାନଙ୍କର ପବିତ୍ର ଧର୍ମଗ୍ରନ୍ଥ କୋରାନ୍‌।

publive-image News Nation

ଏସଂପର୍କରେ ଉତ୍ତରାଖଣ୍ଡର ବିଜେପି ନେତା ସାହାବ୍‌ ସାମ୍‌ କହିଛନ୍ତି ଯେ ଆମ ଲାଇବ୍ରେରିରେ ପୂର୍ବରୁ ଗୀତା ଓ ବାଇବେଲ୍‌ ଉପଲବ୍ଧ ଥିବାବେଳେ କୋରାନ୍‌ ଉପଲବ୍ଧ ନଥିଲା। କିନ୍ତୁ, ଇଂରାଜୀ ଓ ହିନ୍ଦୀ ଭାଷାରେ ଲିଖିତ ଦୁଇଖଣ୍ଡ କୋରନ୍‌କୁ ଆଣି ଆଜି ଠାରୁ ଆମ ଲାଇବ୍ରେରିରେ ରଖିଛି। ଏହା ଆମ ଲାଇବ୍ରେରିକୁ ଆସୁଥିବା ପାଠକମାନଙ୍କୁ ଉପଲବ୍ଧ ହେବ। ଯେଉଁମାନଙ୍କ ମନରେ ଇସ୍‌ଲାମ୍‌ ଧର୍ମକୁ ନେଇ ଭ୍ରାନ୍ତି ରହିଛି ସେମାନେ ଏଠାକୁ ଆସି କୋରାନ୍‌ ସାହିବ୍‌ ପାଠ କରି ସେମାନଙ୍କ ରହିଥିବା ଭ୍ରାନ୍ତିକୁ ଦୂର କରି ପାରିବେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ବିଜେପିର ଏହି ଲାଇବ୍ରେରିକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଗତବର୍ଷ ଉଦ୍‌ଘାଟନ କରିଥିଲେ।