ବର୍ଷକରେ ବିଜେପି ହରାଇଛି ୭ ନିଷ୍ଠାପର ରାଜନେତା

ବାଜପେୟୀଙ୍କଠାରୁ ସୁଷମା ଯାଏ...

ନୂଆଦିଲ୍ଲୀ : ବିଜେପି ଏହାର କିଛି ନିଷ୍ଠାପର ରାଜନେତାଙ୍କ ପାଇଁ ଆଗକୁ ବଢ଼ିଛି ଏବଂ ସଫଳତାର ସ୍ବାଦ ଚାଖିଛି। କିନ୍ତୁ ଶାସକ ବିଜେପି ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହାର ୭ ଜଣ ନିଷ୍ଠାପର ରାଜନେତାଙ୍କୁ ହରାଇଛି। କିଛି ବ୍ୟକ୍ତିତ୍ବ ରାଜନୀତିରୁ ଅବସର ନେଇଥିବାବେଳେ ଆଉ କିଛି ରାଜନେତାଙ୍କର ମୃତ୍ୟୁ ହୋଇଛି। ତେବେ ଗୋଟିଏ ବର୍ଷ ମଧ୍ୟରେ ବିଜେପି ହରାଇଥିବା କିଛି ରାଜନେତା ହେଉଛନ୍ତି ଅଟଳ ବିହାରୀ ବାଜପେୟୀ : ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ସେ ମଧ୍ୟ ବିଜେପିର ପ୍ରତିଷ୍ଠାତା ସଦସ୍ୟ। ଗତବର୍ଷ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କର ୯୩ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା।

ମଦନ ଲାଲ୍‌ ଖୁରାନା : ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଖୁରାନା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ । ଖୁରାନା ଜନସଂଘରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ବିଜେପିର ଏହି ପୂର୍ବତନ ନେତା ଦଳରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ଗତବର୍ଷ ଅକ୍ଟୋବର ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅନନ୍ତ କୁମାର : ଦକ୍ଷିଣରୁ ବିଜେପିର ଜଣେ ଦକ୍ଷ ନେତା ଥିଲେ। ଅନନ୍ତ କୁମାର। ବେଙ୍ଗାଲୁରୁରୁ ସେ ଅନେକ ଥର ସାଂସଦ ହୋଇଛନ୍ତି। ପ୍ରଥମ ବିଜେପି ସରକାରରେ ସେ ଅଟଳ ବିହାରୀ ବାଜପେୟୀଙ୍କ ଅଧୀନରେ ଜଣେ ମନ୍ତ୍ରୀ ଥିଲେ ଏବଂ ପରେ ସେ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ମନ୍ତ୍ରୀପଦରେ ରହିଲେ। ସେ କର୍କଟ ରୋଗରେ ପୀଡ଼ିତ ହେବାପରେ ଗତବର୍ଷ ନଭେମ୍ବର ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି।

ବଳରାମ ଦାସ ଟଣ୍ଡନ୍‌ : ଜନସଂଘର ଅନ୍ୟ ଜଣେ ପ୍ରତିଷ୍ଠାତା ସଦସ୍ୟ ବଳରାମ ଦାସ ଟଣ୍ଡନ୍‌ ଛତିଶଗଡ଼ର ରାଜ୍ୟପାଳ ଥିବା ସମୟରେ ୨୦୧୮ ଅଗଷ୍ଟ ୧୪ ତାରିଖରେ ପ୍ରାଣ ହରାଇଛନ୍ତି।

ମନୋହର ପାରିକର: ଇଂଜିନିୟରୁ ରାଜ‌ନେତା ପାଲଟିଥିବା ମନୋହର ପାରିକର ମୋଦୀ ସରକାରଙ୍କ ପ୍ରଥମ ପାଳିରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ସେ ଗୋଆ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ପ୍ରାଣ ହରାଇଛନ୍ତି। ଅନେକ ଦିନର ଅସୁସ୍ଥତା ପରେ ତାଙ୍କର ମାର୍ଚ୍ଚ ୧୭, ୨୦୧୯ରେ ମୃତ୍ୟୁ ହୋଇଥିଲା।

ମଙ୍ଗେ ରାମ ଗର୍ଗ‌୍ : ୨୦୦୩ରୁ ୨୦୦୮ ମଧ୍ୟରେ ଗର୍ଗ‌୍ ଜାତୀୟ ରାଜଧାନୀର ୱାଜିପୁର ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରିଥିଲେ। ସେ ବିଜେପିର ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ। ଗର୍ଗ‌୍‌ଙ୍କର ବୟସାଧିକ୍ୟ କାରଣ ହେତୁ ଗତବର୍ଷ ଜୁଲାଇରେ ମୃତ୍ୟୁ ହୋଇଥିଲା।

ସୁଷମା ସ୍ବରାଜ : ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଗତକାଲି ହୃଦ୍‌ଘାତରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବିଜେପିର ସବୁଠୁ ଲୋକପ୍ରୀୟ ନେତ୍ରୀ ସୁଷମା ହରିୟାଣା ସରକାରରେ ସର୍ବକନିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ଦିଲ୍ଲୀର ସେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର