‘ମୋଦୀ ଲହର’ ନିଷ୍ପ୍ରଭ : ୨ ବର୍ଷରେ ୭ ରାଜ୍ୟ ହାତରୁ ଗଲାଣି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି ବଡ଼ ପରାଜୟକୁ ସାମ୍ନା କରିଛି ବିଜେପି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ବିଗତ ୨ ବର୍ଷ ମଧ୍ୟରେ ୭ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଛି। ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୩ଟି ଆସନ ଦଖଲ କରିଥିବା ବେଳେ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଥିଲା। ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ୪୮ ଆସନରେ ବିଜେପି ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ଦିଲ୍ଲୀରେ କ୍ଷମତାକୁ ଦଳ ଫେରିବ ବୋଲି ଦାବି କରିଥିଲେ। ତେବେ ବିଜେପିର ଏହି ସ୍ବପ୍ନ ଚୁର୍‌ମାର ହୋଇଯାଇଛି ଏବଂ ବିଜେପି ମାତ୍ର ୭ଟି ଆସନରେ ସୀମିତ ରହିଛି। ଦିଲ୍ଲୀରେ ପୁଣି ଆପ୍‌ର ବିପୁଳ ବିଜୟ ବିଜେପି ପାଇଁ ବଡ଼ ରାଜନୈତିକ ଝଟ୍‌କା ହୋଇଛି। ଦିଲ୍ଲୀ ସମେତ ମୋଟ ୧୨ଟି ରାଜ୍ୟରେ ଏବେ ବିଜେପି ବିରୋଧୀ ଦଳମାନଙ୍କର ସରକାର ରହିଛି। କଂଗ୍ରେସ ନିଜ ଦମ୍‌ରେ କିମ୍ବା ମେଣ୍ଟ ସହଯୋଗୀଙ୍କୁ ନେଇ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ପଂଜାବ, ପୁଡୁଚେରୀରେ କ୍ଷମତାକୁ ଆସିଛି। ଡିସେମ୍ବରରେ ହୋଇଥିବା ନିର୍ବାଚନରେ କଂଗ୍ରେସ ଝାଡ଼ଖଣ୍ଡରେ ସରକାର ଗଠନ କରିବା ସହ ଏବେ ୭ଟି ରାଜ୍ୟରେ କ୍ଷମତାରେ ରହିଛି। ପଶ୍ଚିମବଂଗରେ ଟିଏମ୍‌ସି, କେରଳରେ ସିପିଏମ୍‌ ନେତୃତ୍ବାଧୀନ ମେଣ୍ଟ ସରକାର, ଆନ୍ଧ୍ର ପ୍ରଦେଶରେ ୱାଇଏସ୍‌ଆର୍‌ କଂଗ୍ରେସ ସରକାର, ଓଡ଼ିଶାରେ ବିଜେଡି ସରକାର ଏବଂ ତେଲେଙ୍ଗାନାରେ ଟିଆର୍‌ଏସ୍‌ ସରକାର ରହିଛି।

ତାମିଲନାଡ଼ୁରେ ଶାସକ ଏଆଇଏଡିଏମ୍‌କେ ସହିତ ହାତ ମିଳାଇ ବିଜେପି ଲୋକସଭା ନିର୍ବାଚନ ଲଢ଼ିଥିଲା। କିନ୍ତୁ ବିଜେପିର ଜଣେ ବି ବିଧାୟକ ତାମିଲନାଡ଼ୁରେ ନାହାନ୍ତି। ୨୦୧୭ରେ ଏନ୍‌ଡିଏ ବହୁତ ଭଲ ସ୍ଥିତିରେ ଥିଲା। ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କ ପାଖରେ ୧୯ ରାଜ୍ୟ ରହିଥିଲା। ଗୋଟିଏ ବର୍ଷ ପରେ ବିଜେପି ୩ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କ୍ଷମତା ହରାଇଥିଲା। ୨୦୧୮ରେ ତେଲୁଗୁ ଦେଶମ ପାର୍ଟି ଏନ୍‌ଡିଏରୁ ଓହରି ଯାଇଥିଲା ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସ ସେଠାରେ କ୍ଷମତାକୁ ଫେରିଲା। ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ ନିର୍ବାଚନ ପରେ ମେଣ୍ଟ ଭାଙ୍ଗିବାରୁ ସେଠାରେ କଂଗ୍ରେସ-ଏନ୍‌ସିପି-ଶିବସେନା ସରକାର ଗଠନ ହେଲା। ଏବେ ଦିଲ୍ଲୀରେ ପୁଣି ଏକ ବଡ଼ ପରାଜୟ ବିଜେପିର ରଣନୀତିରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ସମ୍ବନ୍ଧିତ ଖବର