ଉଦୟପୁର ଦରଜୀଙ୍କ ହତ୍ୟାକାରୀ ବିଜେପି ଲୋକ: ଗେହଲଟ

ଯୋଧପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉଦୟପୁର ଦରଜୀ କହ୍ନେୟା ଲାଲ ତେଲିଙ୍କ ହତ୍ୟାକାରୀ ବିଜେପି ସହ ସଂପୃକ୍ତ ଥିବା ଅଭିଯୋଗ କରି କହିଛନ୍ତି ଯେ, ନଭେମ୍ବର ୨୫ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ରବିବାର ଯୋଧପୁରରେ ପ୍ରଚାର ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ପରିବର୍ତ୍ତେ ରାଜସ୍ଥାନ ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଏହି ମାମଲାକୁ ପରିଚାଳନା କରିଥାନ୍ତା, ତେବେ ତଦନ୍ତ ଏକ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିଥାନ୍ତା। ନିଲମ୍ବିତ ବିଜେପି ନେତା ନୂପୁର ଶର୍ମାଙ୍କ ସମର୍ଥନରେ କଣ୍ଟେଣ୍ଟ ପୋଷ୍ଟ କରିଥିବା ଅଭିଯୋଗରେ ଗତ ବର୍ଷ ଜୁନ୍ ୨୮ ତାରିଖରେ ଉଦୟପୁରରେ କହ୍ନେୟା ଲାଲ ନାମକ ଜଣେ ଦରଜୀଙ୍କୁ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଦୋକାନରେ ମୁଣ୍ଡ କାଟି ହତ୍ୟା କରିଥିଲେ। ରସୁଲ ମହମ୍ମଦଙ୍କ ବିରୋଧରେ ବୟାନ ଦେବା ଅଭିଯୋଗରେ ଶ୍ରୀମତୀ ଶର୍ମାଙ୍କୁ ବିଜେପିରୁ ନିଲମ୍ବିତ କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ରବିବାର ଗେହଲଟ କହିଛନ୍ତି- ଏନ୍‌ଆଇଏ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ତାହା କେହି ଜାଣନ୍ତି ନାହିଁ। ଯଦି ଆମ ଏସ୍‌ଓଜି ତଦନ୍ତ କରିଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ପୀଡ଼ିତଙ୍କୁ ନ୍ୟାୟ ମିଳିସାରନ୍ତାଣି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଘଟଣାର କିଛି ଦିନ ପୂର୍ବରୁ ଆକ୍ରମଣକାରୀମାନଙ୍କୁ ଅନ୍ୟ ଏକ ମାମଲାରେ ପୁଲିସ ଗିରଫ କରିଥିଲା ଏବଂ ବିଜେପି ନେତାମାନେ ସେମାନଙ୍କୁ ଛାଡିବା ପାଇଁ ଥାନାକୁ ଆସିଥିଲେ। ତେଣୁ ଦୋଷୀମାନଙ୍କର ବିଜେପି ସହ ସମ୍ପର୍କ ରହିଛି। ଗତ ମାସରେ ଚିତ୍ତୋଡଗଡ଼ରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହ୍ନେୟା ଲାଲ ମାମଲାରେ ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ‘ଭୋଟ୍ ବ୍ୟାଙ୍କ ରାଜନୀତି’ କରୁଥିବା ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ରାଜସ୍ଥାନରେ ନଭେମ୍ବର ୨୫ରେ ମତଦାନ ହେବ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣତି ହେବ। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୯ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୭୩ଟି ଆସନ ପାଇଥିଲା। ବିଏସ୍‌ପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନରେ କଂଗ୍ରେସ ସରକାର ଗଠନ କରିଥିଲା।

ସମ୍ବନ୍ଧିତ ଖବର