ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଗୁରୁବାର ଦିନ ଇସ୍ତାହାର ଜାରି କରିଛି। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ନାମରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଜାରି କରିଥିଲେ | ବିଜେପିର ଇସ୍ତାହାରରେ ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି | ଇସ୍ତାହାରରେ ପ୍ରତ୍ୟେକ ଜିଲ୍ଲାରେ ମହିଳା ଥାନା, କଲେଜ ଛାତ୍ରୀମାନଙ୍କୁ ସ୍କୁଟି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି। ଏଥି ସହିତ ସାଧାରଣ ଲୋକଙ୍କୁ କଂଗ୍ରେସ ଘୋଷଣା କରିଥିବା ମୂଲ୍ୟଠାରୁ କମ୍ ମୂଲ୍ୟରେ ଏଲପିଜି ଗ୍ୟାସ ଦେବାକୁ ଘୋଷଣା କରାଯାଇଛି | ରାଜସ୍ଥାନ ନିର୍ବାଚନ ପାଇଁ ପ୍ରକାଶିତ ଇସ୍ତାହାରରେ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ୪୫୦ଟଙ୍କାରେ ଏଲପିଜି ଗ୍ୟାସ ସହ ସମସ୍ତ ଗରିବ ପରିବାରରେ ଝିଅ ଜନ୍ମ ହେଲେ ସଂଚୟ ବଣ୍ଡ ଯୋଗାଇ ଦିଆଯିବ |
ସେହିପରି ଗରିବ ଛାତ୍ରୀକୁ ଷଷ୍ଠ ଶ୍ରେଣୀରେ ୬୦୦୦, ନବମ ଶ୍ରେଣୀରେ ୮୦୦୦, ଦଶମ ଶ୍ରେଣୀରେ ୧୦୦୦୦ ସହ ୨୧ ବର୍ଷ ବୟସରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି | ସେହିପରି ରାଜ୍ୟର ଗରିବ ପରିବାରର ସମସ୍ତ ଛାତ୍ରୀଙ୍କୁ କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଗଣା ଗୁଣାତ୍ମକ ଶିକ୍ଷା ସହ ମୁଖ୍ୟମନ୍ତ୍ରୀ ମାଗଣା ସ୍କୁଟି ଯୋଜନା ଆରମ୍ଭ କରାଯିବ | ଯାହା ଅଧୀନରେ ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗ୍ୟ ଛାତ୍ରୀମାନଙ୍କୁ ସ୍କୁଟି ଯୋଗାଇ ଦିଆଯିବ। ସେହିପରି ଲକ୍ଷ୍ମୀ ଦିଦି ଯୋଜନାରେ ୬ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳାଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ | ରାଜସ୍ଥାନ ସଶସ୍ତ୍ର ବାହିନୀ (ଆରଏସି)ରେ ପଦ୍ମିନୀ, କାଳୀ ବାଇ ଏବଂ ଅମୃତା ଦେବୀ ନାମରେ ୩ଟି ମହିଳା ପୁଲିସ ବାଟାଲିୟନ ଆରମ୍ଭ କରାଯିବ |