ସ୍ୱାଧୀନ ଓ ବିଦ୍ରୋହୀ ପିଡିପି ବିଧାୟକଙ୍କୁ ସାଙ୍ଗରେ ନେଇ ଜମ୍ମୁ- କଶ୍ମିରରେ ସରକାର ଗଢ଼ିବାକୁ ବିଜେପିର ଯୋଜନା!

ନୂଆଦିଲ୍ଲୀ: ଜମ୍ମୁ- କଶ୍ମିରରେ ଥିବା ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଓ ଭାରତୀୟ ଜନତା ପାର୍ଟି (ବିଜେପି)ର ମିଳିତ ସରକାରରୁ ଗତ ଜୁନ୍‌ ମାସରେ ବିଜେପି ନିଜର ସମର୍ଥନ ପ୍ରତ୍ୟାହାର କରି ଆଣିବା ପରେ ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ପିଡିପି ନେତ୍ରୀ ମେହେବୁବା ମୁଫ୍‌ତି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବଂ ଏହି ଘଟଣା ପରେ ଜମ୍ମୁ- କଶ୍ମିର ରାଜ୍ୟପାଳଙ୍କ ସୁପାରିସ୍‌ କ୍ରମେ ରାଷ୍ଟ୍ରପତି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି।

ତେବେ, ବର୍ତ୍ତମାନ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜେପି ଜମ୍ମୁ-କଶ୍ମିରରେ ଆଉଥରେ ନିଜର ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏଥରକ କିନ୍ତୁ ବିଜେପି ଆଉ ପିଡିପି ସହ ମେଣ୍ଟ ନକରି ପିଡିପିର କିଛି ବିଦ୍ରୋହୀ ବିଧାୟକ ଓ ଆଉ କିଛି ସ୍ୱାଧୀନ ବିଧାୟକଙ୍କୁ ନିଜ ସପକ୍ଷରେ ଆଣିବା ସହ ସେମାନଙ୍କ ସହଯୋଗରେ ଜମ୍ମୁ- କଶ୍ମିରରେ ସରକାର ଗଠନ କରିବା ପାଇଁ ଭିତିରିଆ ଉଦ୍ୟମ ଆରମ୍ଭ କରିଦେଇଛି। ଅମରନାଥ ଯାତ୍ରା ଶେଷ ହେବା ପରେ ବିଜେପି ନିଜର ଏହି ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ସହ ଜମ୍ମୁ- କଶ୍ମିରରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ନିଜର ଦାବି ଉପସ୍ଥାପିତ କରିବା ପାଇଁ ମନସ୍ଥ କରିଛି। ତେବେ, ଏହା ପୂର୍ବରୁ ବର୍ତ୍ତମାନ ଜମ୍ମୁ-କଶ୍ମିରର ରାଜ୍ୟପାଳ ଥିବା ଏନ୍‌ଏନ୍‌ ଭୋରାଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ଜଣେ ପୁରୁଖା ରାଜନେତାଙ୍କୁ ରାଜ୍ୟପାଳ ରୂପେ ନିଯୁକ୍ତି ଦେବାକୁ ଯୋଜନା କରିଥିବା ଏହି ସୂତ୍ରରୁ ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ୮୭ ଆସନ ବିଶିଷ୍ଟ ଜମ୍ମୁ- କଶ୍ମିର ବିଧାନସଭାରେ ପିଡିପିର ୨୮ ଜଣ ନିର୍ବାଚିତ ବିଧାୟକ ଥିବା ବେଳେ ବିଜେପିର ଅଛନ୍ତି ୨୫ ଜଣ ବିଧାୟକ।

 

ସମ୍ବନ୍ଧିତ ଖବର