ଭୁବନେଶ୍ବର : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ ହିଂସା ହେବ ବୋଲି ଆଶଙ୍କା ପ୍ରକଟ କରିଛି ବିଜେପି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଜନମତ ବିଜେପି ଆଡ଼କୁ ଢଳିବା ପରେ ହିଂସାମୁଖା ହୋଇଛି ବିଜେଡି। ନିର୍ବାଚନ ପରାଜୟ ପରେ ଶାସକ ଦଳ ବିଜେଡି ଏବେ ବୁଥ୍ ରିଗିଙ୍ଗ୍, ବୁଥ୍ କ୍ୟାପ୍ଚରିଂ ଓ ହିଂସା କରିବାର ରାସ୍ତା ଆପଣାଇଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଯେଉଁ ସବୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ଗୁଡ଼ିକ ରହିଛି, ସେହି ବୁଥ୍ଗୁଡ଼ିକର ତାଲିକା ବିଜେପି ପକ୍ଷରୁ ଆଜି ସିଇଓଙ୍କୁ ପ୍ରଦାନ କରାଯାଇଛି। ଏହି ବୁଥ୍ଗୁଡ଼ିକରେ ବିଜେଡି ରିଗିଂ ଓ କ୍ୟାପ୍ଚରିଂ କରିପାରେ ବୋଲି ଦଳ ଆଶଙ୍କା କରିଛି। ତେଣୁ ତୁରନ୍ତ ସେହି ସମ୍ବେଦନଶୀଳ ବୁଥ୍ଗୁଡ଼ିକର ତାଲିକା ପ୍ରକାଶ କରି ସେଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବା ସହ ସିସିଟିଭି କ୍ୟାମେରା ଲଗାଇ ତାହାର ଭିଡିଓଗ୍ରାଫି କରିବାକୁ ବିଜେପି ଦାବି କରିଛି। ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳରେ ଯତୀନ ମହାନ୍ତି ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ମହାନ୍ତି କହିଛନ୍ତି, ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟର ସମସ୍ତ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ଗୁଡ଼ିକର ତାଲିକା ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ। ସେହି ବୁଥ୍ଗୁଡ଼ିକରେ ରିଗିଂ ଓ କ୍ୟାପ୍ଚରିଂ ଆଶଙ୍କା ଥିଲେ ମଧ୍ୟ ସେଥି ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ସେଠାରେ ଶାସକ ଦଳ ଦ୍ବାରା ରିଗିଂ ଏବଂ କ୍ୟାପ୍ଚରିଂ କରାଗଲା। ତେଣୁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସମ୍ବେଦନଶୀଳ ବୁଥ୍ଗୁଡ଼ିକୁ ଘୋଷଣା କରା ନ ଗଲେ ବିଜେପି ଆସନ୍ତାକାଲି ସିଇଓଙ୍କ ଅଫିସ୍ ସାମ୍ନାରେ ଧାରଣା ଦେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।