ମୋଦୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ : ୪ ରାଜ୍ୟରେ ସରକାର ଗଠନ ନେଇ ଆଲୋଚନା

ନୂଆଦିଲ୍ଲୀ :  ବିଜେପି ବିଜୟ ହାଲ କରିଥିବା ୪ଟି ରାଜ୍ୟରେ ସରକାର ଗଠନ ପାଇଁ ଦଳରେ ବିଚାରବିମର୍ଷ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ ନେଇ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ ହୋଇଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ରାଷ୍ଟ୍ରୀୟ ମହାସଚିବ ବି.ଏଲ. ସନ୍ତୋଷ ପ୍ରମୁଖ ଯୋଗ ଦେଇଛନ୍ତି ।

ସୋମବାର ଦିନ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ଅମିତ ଶାହାଙ୍କୁ ଉତ୍ତରପ୍ରଦେଶ ପାଇଁ ପର୍ଯ୍ୟବେକ୍ଷକ ଓ ରଘୁବର ଦାସଙ୍କୁ ସହ ପର୍ଯ୍ୟବେକ୍ଷକ  ନିଯୁକ୍ତ କରାଯାଇଥିଲା । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଉତ୍ତରାଖଣ୍ଡ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ କିରେନ ରିଜିଜୁଙ୍କୁ ମଣିପୁର ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିଲା ।

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ମଧ୍ୟରୁ ୪ଟି ରାଜ୍ୟରେ ବିଜେପି ବିଜୟ ଲାଭ କରିଛି । ସେସବୁ ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ । ଉତ୍ତରପ୍ରଦେଶରେ ବିଜେପି ୨୫୫ଟି ଆସନ, ସହଯୋଗୀ ଦଳ ଅପନା ଦଳ ୧୨ ଓ ନିଷାଦ ପାର୍ଟି ୬ଟି  ଆସନ ଜିତିଥିଲେ । ଅନ୍ୟପକ୍ଷରେ ବିଜେପି ଉତ୍ତରାଖଣ୍ଡରେ ୪୭ଟି, ମଣିପୁରରେ ୩୨ଟି, ଗୋଆରେ ୨୦ଟି ଆସନ ଜିତିଥିଲା । ତେବେ ପଂଜାବରେ ବିଜେପି ମାତ୍ର ୨ଟି ଆସନ ପାଇଥିଲା । ଅନ୍ୟପକ୍ଷରେ ଏସବୁ  ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା ।

ସମ୍ବନ୍ଧିତ ଖବର