ବିଜେପି ମନ୍ତ୍ରୀମାନେ ଦଳିତମାନଙ୍କ ଘରେ ଖାଇବା ଯଥେଷ୍ଟ ନୁହେଁ: ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ବିଜେପି ନେତାମାନେ ଦଳିତମାନଙ୍କ ଘରକୁ ଯାଇ ସହ ଖାଇବା ସେମାନଙ୍କ ସମ୍ପ୍ରଦାୟର ଉନ୍ନତି ପାଇଁ ଯଥେଷ୍ଟ ହେବ ନାହିଁ। ନେତାମାନେ ସେମାନଙ୍କୁ ନିଜ ଘରକୁ ମଧ୍ୟ ନିମନ୍ତ୍ରଣ କରିବା ଉଚିତ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭଗବତ ଗତକାଲି କହିଛନ୍ତି।

ଦଳିତ ସମ୍ପ୍ରଦାୟଙ୍କ ସାମାଜିକ ମିଶ୍ରଣ ସଂକ୍ରାନ୍ତରେ ସଂଘର ଏକ ଅଭ୍ୟନ୍ତରୀଣ ବୈଠକରେ ଆର୍‌ଏସ୍‌ଏସ୍‌ ମୁଖ୍ୟ କହିଲେ: କେବଳ ସେମାନଙ୍କ ଘରକୁ ଯିବା ଯଥେଷ୍ଟ ହେବ ନାହିଁ। ଏହା ଦ୍ୱିପାକ୍ଷିକ ପ୍ରକ୍ରିୟା ହେବା ଉଚିତ। ସେମାନେ ଯେମିତି ଆମକୁ ସ୍ୱାଗତ କରୁଛନ୍ତି, ଆମେ ମଧ୍ୟ ସେମିତି ଦଳିତ ସଦସ୍ୟମାନଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିବା ଉଚିତ।

ଗତ କେତେ ସପ୍ତାହ ହେବ କେତେକ ବିଜେପି ମନ୍ତ୍ରୀ ଦଳିତମାନଙ୍କ ଘରକୁ ଯାଇ ସେମାନଙ୍କ ଘରେ ଭୋଜନ ପକାଇଛନ୍ତି। ସାମାଜିକ ସମ୍ୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ରାମ ସ୍ୱରାଜ ଅଭିଯାନର ଏହା ଅଂଶବିଶେଷ ବୋଲି ସେମାନେ କହିଛନ୍ତି।

ଭାଗବତ କହିଛନ୍ତି: ଅଷ୍ଟମୀ ଦିନ ଦଳିତ ସମ୍ପ୍ରଦାୟର ଝିଅମାନଙ୍କୁ ନିଜ ଘରକୁ ନିମନ୍ତ୍ରଣ କରି ତାଙ୍କର ପୂଜାର୍ଚ୍ଚନା କରୁଛୁ, କିନ୍ତୁ ଆମେ ନିଜ ଝିଅମାନଙ୍କୁ ସେମାନଙ୍କ ଘରକୁ ଛାଡୁ ନାହୁଁ।

ଆର୍‌ଏସ୍‌ଏସ୍‌ ଦିଲ୍ଲୀ ୟୁନିଟ୍‌ ଯୁଗ୍ମ ଅଧ୍ୟକ୍ଷ ଆଲୋକ କୁମାର କହିଲେ: ଖାଲି ଦଳିତଙ୍କ ଘରେ ଖାଇପକାଇଲେ ସାମ୍ୟତା ଆସିଯିବ ନାହିଁ। ସମାଜ ସେମାନଙ୍କ ଆର୍ଥିକ ପ୍ରଗତି ଏବଂ ସମ୍ମାନ ପାଇଁ ଉଦ୍ୟମ କରିବା ଆବଶ୍ୟକ।

ଜଣେ ଉଚ୍ଚ ଜାତିର ବ୍ୟକ୍ତି ଦଳିତଙ୍କ ଘରେ ଯାଇ ଖାଇବା ଦ୍ୱାରା ତାଙ୍କର ଜାତିବାଦ ଏବଂ ଆତ୍ମଗର୍ବ ଭାବନାକୁ ପ୍ରଦର୍ଶନ କରୁଛି। ଦଳିତମାନଙ୍କୁ ଆମ ପରିବାରର ଅଂଶ ଭାବେ ଗ୍ରହଣ କରିବା ଆବଶ୍ୟକ।

ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରାମ ସ୍ୱରାଜ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ନିର୍ଦେଶରେ ବିଜେପିର ସମସ୍ତ ସାଂସଦ ଏବଂ ମନ୍ତ୍ରୀ ୫୦% ଦଳିତ ଅଧିବାସୀ ଥିବା ଗ୍ରାମଗୁଡ଼ିକରେ ସମୟ କାଟୁଛନ୍ତି।

ସମ୍ବନ୍ଧିତ ଖବର