ବିଜେପି ନେତା ତାଜିନ୍ଦର ବଗ୍ଗାଙ୍କ ଗିରଫକୁ ନେଇ ପଞ୍ଜାବ-ହରିୟାଣା ହାଇକୋର୍ଟରେ ହେବାକୁ ଥିବା ଶୁଣାଣି ଘୁଞ୍ଚିଲା

ତାଜିନ୍ଦରଙ୍କୁ ରକ୍ଷା କରିବା ପାଇଁ ବିଜେପି ଦୁଇ ରାଜ୍ୟର ପୁଲିସକୁ ବ୍ୟବହାର କରୁଛି: ଆପ୍ ବିଧାୟିକା ଅତିଶୀ ସିଂ

ନୂଆଦିଲ୍ଲୀ: ବିଜେପି ନେତା ତାଜିନ୍ଦର ବଗ୍ଗାଙ୍କ ଗିରଫକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ଆପ୍। ଗତକାଲି ତାଜିନ୍ଦର ବଗ୍ଗାଙ୍କୁ ତାଙ୍କ ବାସଭବନରୁ ପଞ୍ଜ‌ାବ ପୁଲିସ ଗିରଫ କରିବା ଏବଂ ମଝି ରାସ୍ତାରୁ ଦିଲ୍ଲୀ ପୁଲିସ ତାଙ୍କୁ ଦିଲ୍ଲୀ ଆଣିବା ଘଟଣାକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ତେବେ ଗିରଫ ମାମଲାକୁ ନେଇ ପଞ୍ଜାବ-ହରିୟାଣା ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିବା ବେଳେ ଏହା ଉପରେ ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି। ଆସନ୍ତା ୧୦ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ୧୦ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବଗ୍ଗାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ଶୁଣାଣି ଘୁଞ୍ଚିବା ପରେ ବଗ୍ଗା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି। ଏହାକୁ ନେଇ ଆପ୍ ବିଧାୟିକା ଅତିଶୀ ସିଂ କହିଛନ୍ତି ଯେ, ବିଜେପି ହେଉଛି ଏକ ଗୁଣ୍ଡାମାନଙ୍କ ଦଳ। ବଗ୍ଗା ହେଉଛନ୍ତି ଏହାର ଏକ ବଡ଼ ଉଦାହରଣ। ତାଙ୍କ ବିରୋଧରେ ଅନେକଗୁଡ଼ିଏ ଅପରାଧ ଏବଂ ନିର୍ଯ୍ୟାତନା ମାମଲା ରହିଛି। ବଗ୍ଗାଙ୍କ ପରି ଗୁଣ୍ଡାକୁ ବଞ୍ଚାଇବା ପାଇଁ ବିଜେପି ଦୁଇ ରାଜ୍ୟର ପୁଲିସକୁ ବ୍ୟବହାର କରୁଛି। ଆଜି ଯଦି ସେ କେଜ୍ରିୱାଲଙ୍କ ବାସଭବନ ଆଗରେ ଆନ୍ଦୋଳନ କରନ୍ତି କିମ୍ବା କୌଣସି ହିଂସା ସୃଷ୍ଟି କରନ୍ତି, ତେବେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ତାଙ୍କ ବେକରେ ଫୁଲମାଳ ପକାଇ ତାଙ୍କୁ ଦଣ୍ଡ ଦେବା ପରିବେର୍ତ୍ତ ନିର୍ବାଚନ ଲଢ଼ିବାକୁ ଟିକେଟ ଦେବେ।

ଉଲ୍ଲେଖଯୋଗ୍ୟ, ବିଜେପି ନେତା ତାଜିନ୍ଦର ପାଲ୍‌ ସିଂହ ବଗ୍ଗାଙ୍କୁ ଶୁକ୍ରବାର ଦିନ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ପଂଜାବ ପୁଲିସ ଗିରଫ କରିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍‌ ଆଦ୍‌ମି ପାର୍ଟି ବିରୋଧରେ ବଗ୍ଗା ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ପଂଜାବରେ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ସକାଳେ ପ୍ରାୟ ୫୦ ଜଣ ପଂଜାବ ପୁଲିସ ୧୦-୧୨ଟି ଗାଡ଼ିରେ ଆସି ବଗ୍ଗାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲେ। ଉକ୍ତ ଟିମ୍‌ ବଗ୍ଗାଙ୍କୁ ସଡ଼କପଥରେ ମୋହାଲି ନେଉଥିବା ବେଳେ ସେମାନଙ୍କୁ ହରିୟାଣା ପୁଲିସ କୁରୁକ୍ଷେତ୍ର ନିକଟରେ ଅଟକାଇଥିଲା। ହରିୟାଣା ପୁଲିସ ଅଧିକାରୀ କହିଥିଲେ ଯେ ବଗ୍ଗାଙ୍କୁ ବଳପୂର୍ବକ ତାଙ୍କ ଘରୁ ଉଠାଇ ନିଆଯାଇଥିବା ନେଇ ଦିଲ୍ଲୀ ପୁଲିସ ରିପୋର୍ଟ କରିଥିଲା। ତେଣୁ ଏହି ଘଟଣାର ଯାଞ୍ଚ ପାଇଁ ସେମାନଙ୍କୁ ଅଟକାଯାଇଥିଲା। ଦିଲ୍ଲୀରୁ ବଗ୍ଗାଙ୍କୁ ଆଣିଥିବା ପଂଜାବ ପୁଲିସର ଗାଡ଼ିଗୁଡ଼ିକୁ କୁରୁକ୍ଷେତ୍ରର ପିପଲି ଥାନା ନିଆଯାଇଥିଲା। ଏହାର କିଛି ସମୟ ପରେ ସେଠାରେ ଦିଲ୍ଲୀ ପୁଲିସ ପହଞ୍ଚିବାରୁ ହରିୟାଣା ପୁଲିସ ବଗ୍ଗାଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧିତ ଖବର