ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକିଥିବାବେଳେ ଆଜି ରାଜ୍ୟରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବ ଉତ୍ତରପ୍ରଦେଶରେ ଆଜି ଜଣେ ବିଜେପି ବିଧାୟକ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷେ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୩ ଜଣ ବ୍ରାହ୍ମଣ ନେତା ମଧ୍ୟ ସପାରେ ଯୋଗ ଦେଇଛନ୍ତି। ଶାନ୍ତା କବୀର ନଗରର ଖଲିଲାବାଦ ଆସନର ବିଜେପି ବିଧାୟକ ଦିଗବିଜୟ ନାରାୟଣ ଚୌ‌ବେ ଏବଂ ବିଏସ୍‌ପିର ୩ ଜଣ ନେତା ବିନୟ ଶଙ୍କର ତିୱାରୀ (ବିଏସ୍‌ପି ବିଧାୟକ), କୁଶଲ ତିୱାରୀ ଏବଂ ଗଣେଶ ଶଙ୍କର ପା‌ଣ୍ଡେ ( ବିଧାନ ପରିଷଦର ପୂର୍ବତନ ଅଧ୍ୟକ୍ଷ) ଆଜି ସପାରେ ଯୋଗ ଦେଇଛନ୍ତି। ଲକ୍ଷ୍ନୌ ସ୍ଥିତ ରାଜ୍ୟ ମୁଖ୍ୟାଳୟରେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଉପରୋକ୍ତ ନେତାମାନେ ଦଳରେ ଯୋଗ ଦେଇଛନ୍ତି। ହରିଶଙ୍କର ତିୱାରୀ ବି ଖୁବ୍‌ଶୀଘ୍ର ସପାରେ ଯୋଗ ଦେବେ ବୋଲି କୁହାଯାଉଛି। ହରି ଶଙ୍କର ତିୱାରୀ ଦେଶରେ ପ୍ରଥମ ବ୍ୟକ୍ତି ଭାବେ କାରଗାରରେ ଥାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ‌ଯେ ଗତ ଅକ୍ଟୋବରରେ ୬ ଜଣ ନିଲମ୍ବିତ ବିଏସ୍‌ପି ବିଧାୟକ ସପାରେ ଯୋଗ ଦେଇଥିଲେ।