ଅଭିଯୁକ୍ତ ବିଜେପି ବିଧାୟକ ଗିରଫ

ବିଧାୟକ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଉନ୍ନାଓର ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପ ସିଂହ ସେଂଗରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ତାଙ୍କୁ ଗିରଫ କରିଛି। ଜଣେ ୧୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଏବଂ ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ପିତାଙ୍କ ହାଜତ ମୃତ୍ୟୁ ମାମଲାରେ ବିଧାୟକଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲେ ମଧ୍ୟ ତାଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ହାଇକୋର୍ଟ ବିସ୍ମୟ ପ୍ରକାଶ କରିଥିଲେ ଏବଂ ତତ୍କାଳ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିନ ତମାମ ବିଧାୟକଙ୍କୁ ସିବିଆଇ ଜେରା କରିବା ପରେ ରାତିରେ ଗିରଫ କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଅଣଦେଖା କରି ବିଧାୟକଙ୍କ ପ୍ରତି ପୁଲିସ କୋହଳ ନୀତି ଧରିଥିବା ବେଳେ ଅଭିଯୋଗକାରୀଙ୍କୁ ଗିରଫ କରିବା ଆଇନ ବ୍ୟବସ୍ଥା ପାଇଁ ବଡ଼ ଧକ୍କା ବୋଲି ହାଇକୋର୍ଟ କହିଛନ୍ତି। ବିଧାୟକ ସେଂଗର ତଦନ୍ତ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଛନ୍ତି ଏବଂ ପୁଲିସ ଏଥିରେ ସଂପୂର୍ଣ୍ଣ ସାମିଲ ହୋଇଥିବାରୁ କୋର୍ଟ ଏହାର ଭର୍ତ୍ସନା କରିଛନ୍ତି। ମାମଲାର ତଦନ୍ତ ଭାର ସିବିଆଇ ନେବାପରେ ଆଜି ଭୋର୍‌ ସମୟରେ ବିଧାୟକ ସେଂଗରଙ୍କୁ ତାଙ୍କ ବାସଭବନରୁ ସିବିଆଇ ଉଠାଇ ଆଣିଥିଲା। ବିଧାୟକ ଓ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ତଦନ୍ତ ଅଗ୍ରଗତି ସଂକ୍ରାନ୍ତ ବିସ୍ତତ ରିପୋର୍ଟ ମେ’ ୨ ତାରିଖ ସୁଦ୍ଧା କୋର୍ଟରେ ଦାଖଲ କରିବାକୁ କୁହାଯାଇଛି।

ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଡିବି ଭୋସ୍‌୍‌ଲେ ଏବଂ ବିଚାରପତିି ସୁନୀତ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମାମଲାରେ ସଠିକ୍‌ ତଦନ୍ତ ହେବ ଏବଂ ଏଥିରେ ହୋଇଥିବା ତ୍ରୁଟିକୁ ସୁଧାରିବାକୁ ପଡ଼ିବ। ଉନ୍ନାଓ ଦୁଷ୍କର୍ମ ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁରିକୁ ବାତିଲ କରିବାପାଇଁ ମଧ୍ୟ ଆବେଦନ ଦାଖଲ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଷ୍କର୍ମ ମାମଲା ନେଇ ଗତବର୍ଷ ରୁଜୁ ହୋଇଥିବା ଏଫ୍‌ଆଇଆର ଉପରେ ପୁନଃ ଯାଞ୍ଚ କରିବା ଦିଗରେ ମଧ୍ୟ ସିବିଆଇ ପଦକ୍ଷେପ ନେଇପାରିବ ବୋଲି କୋର୍ଟ କହିଛନ୍ତି। ଉନ୍ନାଓ ଗଣଦୁଷ୍କର୍ମ ମାମଲା ନେଇ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହୋଇଥିବା ବେଳେ ଦିନକୁ ଦିନ ସରକାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର