ବିଜେପି ବିଧାୟିକାଙ୍କୁ ନିଜ ଦଳର ସାଂସଦଙ୍କ ନିର୍ଯାତନା:ବିଧାନସଭାରେ କାନ୍ଦିଲେ

ଭୋପାଳ: ଆଜି ମଧ୍ୟପ୍ରଦେଶ ବିଧାନସଭା ମଧ୍ୟରେ ବିଜେପି ବିଧାୟିକା ନିଲମ୍‌ ଅଭୟା ମିଶ୍ର ନିଜ ଦଳର ଜଣେ ସାଂସଦଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଉକ୍ତ ନେତାଙ୍କ ନିର୍ଦ୍ଦେଶରେ ପୁଲିସ୍‌ ମଧ୍ୟ ବିଧାୟିକା ଓ ତାଙ୍କ ପରିବାରବର୍ଗଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ବିଧାୟିକା ମିଶ୍ର ବିଧାନସଭାରେ କାନ୍ଦିବା ଘଟଣା ତମ୍ବିତୋଫାନ ସୃଷ୍ଟି କରିଛି। ବିରୋଧୀ ଦଳ କଂଗ୍ରେସ ଏହି ଘଟଣାରେ ବିଧାୟିକାଙ୍କୁ ସମର୍ଥନ ଜଣାଇଥିବା ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଶାସକ ଦଳର ବିଧାୟିକା ଯଦି ଅସୁରକ୍ଷିତ ତେବେ ସାଧାରଣ ଜନତାଙ୍କୁ କିଭଳି ସୁରକ୍ଷା ମିଳୁଥିବ ତାହା ଅନୁମାନ ସାପେକ୍ଷ ବୋଲି କଂଗ୍ରେସ କହିଛି। ଅପରପକ୍ଷେ, ରାଜ୍ୟ ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହ ଏହି ମାମଲାରେ ପ୍ରତିକ୍ରିୟା ରଖି ବିଧାୟିକା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ରେଓ୍ଵା ଜିଲ୍ଲା ସିମାରିଆ ବିଧାୟିକା ନିଲମ୍‌ କହିଛନ୍ତି ଯେ ରେଓ୍ଵା ଏସ୍‌ପି ମଧ୍ୟ ତାଙ୍କ ପ୍ରତି ଘୋର ପାତର ଅନ୍ତର କରିଛନ୍ତି। ସାଂସଦଙ୍କ ଆକ୍ରୋଶରୁ ତାଙ୍କୁ ରକ୍ଷା କରିବା ବଦଳରେ ତାଙ୍କ ପ୍ରତି ପୁଲିସ ଦାଉ ସାଧୁଛି। ଆଜି ବିଧାନସଭାରେ ଶୂନ୍ୟକାଳରେ ବିଧାୟିକା ମିଶ୍ର ହଠାତ୍‌ ଛିଡ଼ା ହେବା ସହ ତାଙ୍କ ପ୍ରତି ଦୁର୍ବ୍ୟବହାର ଓ ନିର୍ଯାତନା ବିଷୟରେ କାନ୍ଦି କାନ୍ଦି କହିଥିଲେ। ଏହାପରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ବିଧାୟକମାନେ ବିଧାୟିକାଙ୍କ ସମର୍ଥନରେ ଛିଡ଼ା ହୋଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଯାହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହେବା ପରେ ଗୃହକାର୍ଯ୍ୟ ୧୫ ମିନିଟ ପାଇଁ ମୁଲତବୀ ମଧ୍ୟ ରହିଥିଲା। ତେବେ ବିଜେପି ବିଧାୟିକା ରଞ୍ଜନା ବାଘେଲ ଓ ମମତା ମୀନା ରାଜ୍ୟ ସରକାରଙ୍କ ସପକ୍ଷରେ ଯୁକ୍ତି ରଖି କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ବିରୋଧୀଦଳ ନେତା ଅଜୟ ସିଂହ ତାଙ୍କ ମା’ଙ୍କୁ ନିର୍ଯାତନା ଦେଉଥିବା ବିଜେପି ନେତାମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର