ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ବିଜେପିକୁ ବଡ଼ ସଫଳତା ମିଳିଛି। ଗତକାଲି ଭୋଟ ଗଣନା ହୋଇଥିବା ବେ‌ଳେ ରାଜ୍ୟରେ ବିଜେପି ବିପୁଳ ଭୋଟ ପାଇ ବିଜୟୀ ହୋଇଛି। ଜିତିବା ପରେ ବର୍ତ୍ତମାନ ସରକାର ଗଠନ ପାଇଁ ପ୍ରସ୍ତୁତି କରୁଛି ବିଜେପି। ତେବେ ନିର୍ବାଚନ ଫଳାଫଳ ଆସିବାର ୨୪ଘଣ୍ଟା ବିତିନଥିବା ବେଳେ ନବ ନିର୍ବାଚିତ ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ ଆକ୍ସନ୍ ମୋଡକୁ ଆସିଛନ୍ତି। ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ ଅଧିକାରୀଙ୍କୁ ଡାକି ଚେତାବନୀ ଦେଇଛନ୍ତି ଯେ, ସମସ୍ତ ଆମିଷ ଫୁଡ୍ ଷ୍ଟଲ୍କୁ ସନ୍ଧ୍ୟା ସୁଦ୍ଧା ରାସ୍ତାରୁ ହଟାଅ।

Advertisment

ହୱାମହଲ ଆସନରୁ ଜିତିଥିବା ବିଜେପି ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ ଜଣେ ସରକାରୀ ଅଧିକାରୀଙ୍କୁ ଫୋନ କରି କହିଛନ୍ତି ଯେ, ଆଜି ସନ୍ଧ୍ୟା ସୁଦ୍ଧା ରାସ୍ତା କଡ଼ରେ ଆମିଷ ବିକୁଥିବା ‌ଦୋକାନ ଓ ଆମିଷ ରୋଷେଇ କରି ‌ଖାଇବାକୁ ଦେଉଥିବା ଦୋକାନ ବନ୍ଦ କର । ସନ୍ଧ୍ୟା ଭିତରେ ମୋତେ ରିପୋର୍ଟ ଦରକାର ।

ଏହାକୁ ବିରୋଧ କରି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏହାକୁ ଭୁଲ ବୋଲି କହିଛନ୍ତି। ଆମିଷ ବିକ୍ରିକୁ କେହି ଅଟକାଇ ପାରିବେ ନାହିଁ। ଯଦି କେହି ଆମିଷ ଫୁଡ୍ ଷ୍ଟଲ୍ କରିବାକୁ ଚାହାଁନ୍ତି ତେବେ କେହି ତାଙ୍କୁ କିପରି ଅଟକାଇ ପାରିବେ?

ଉଲ୍ଲେଖଯୋଗ୍ୟ, ରବିବାର ଘୋଷଣା ହୋଇଥିବା ନିର୍ବାଚନ ଫଳାଫଳରେ ବାଳମୁକୁନ୍ଦ ଆଚାର୍ଯ୍ୟ ରାଜଧାନୀ ଜୟପୁରର ହୱାମହଲ ବିଧାନସଭା ଆସନରୁ ବିଜେପି ଟିକେଟରେ ୬୦୦ଭୋଟରେ ଜିତିଥିଲେ। ସେ କଂଗ୍ରେସର ଆର.ଆର ତିୱାରୀଙ୍କୁ ପରାସ୍ତ କରିଥିଲେ।