ପଶ୍ଚିମବଙ୍ଗରେ ବିଜେପିକୁ ଝଟକା, ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ବିଜେପି ବିଧାୟକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପିକୁ ଆଉ ଏକ ବଡ଼ ଧରଣର ଝଟକା ଲାଗିଛି | ବାଙ୍କୁଡାର ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ ଆଜି ବିଜେପି ଛାଡି ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ବରିଷ୍ଠ ନେତା ତଥା ବିଧାୟକ ମୁକୁଲ ରାୟ, ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହ ବିଜେପି ଛାଡି ଜୁନ୍ ମାସରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ବିଧାନସଭା ନିର୍ବାଚନ ପରେ ଏପର୍ଯ୍ୟନ୍ତ ଦୁଇଜଣ ବିଜେପି ବିଧାୟକ ଟିଏମସିରେ ଯୋଗ ଦେଇଛନ୍ତି।

ଆଜି ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବସୁ ବିଜେପି ବିଧାୟକଙ୍କୁ ସ୍ୱାଗତ କରିଥିଲେ। ଟିଏମସିରେ ଯୋଗଦେବା ପରେ ଘୋଷ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ପ୍ରତିଶୋଧ ରାଜନୀତି କରୁଛି ଏବଂ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରି ପଶ୍ଚିମବଙ୍ଗବାସୀଙ୍କ ଉପରେ କ୍ଷମତା ପ୍ରୟୋଗ କରିବାକୁ ଚାହୁଁଛି। ସେ କହିଛନ୍ତି ଯେ ପଶ୍ଚିମବଙ୍ଗବାସୀ ଏହାକୁ ପସନ୍ଦ କରନ୍ତି ନାହିଁ ଏବଂ ସେଥିପାଇଁ ତୃଣମୂଳ କଂଗ୍ରେସ ନିର୍ବାଚନରେ ବିଜୟ ହାସଲ କରିଥିଲା।

ଘୋଷ ମମତା ବାନାର୍ଜୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ନେତା ତଥା ପଶ୍ଚିମବଙ୍ଗର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦ୍ୱାରା ପରିଚାଳିତ ଅନେକ ଯୋଜନାରେ ଅନୁପ୍ରାଣିତ ହେବା ପରେ ସେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର