ବିଜେପି ବିଧାୟକଙ୍କ ରହସ୍ୟ ଖୋଲିଲା ସିବିଆଇ

ଉନ୍ନାଓ ଗଣଦୁଷ୍କର୍ମ ମାମଲା

ଲକ୍ଷ୍ନୌ: ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର ଜଡ଼ିତ ଏବଂ ସେ ଦୁଷ୍କର୍ମକାରୀ ବୋଲି ଆଜି ସିବିଆଇ ସ୍ପଷ୍ଟ କରିଛି। ଉନ୍ନାଓ ଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେବାର ପ୍ରାୟ ୧ ମାସ ପରେ ସିବିଆଇ ଆଜି ସ୍ପଷ୍ଟ କରିଛି ଯେ ଅଭିଯୁକ୍ତ କୁଲଦୀପ ସିଂ ସେଙ୍ଗରଙ୍କ କଥାରେ ପୁଲିସ କର୍ମୀମାନେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କୁ ଖସାଇବା ପାଇଁ ପୁଲିସ ଅଧିକାରୀମାନେ ବଡ଼ ଷଡ଼ଯନ୍ତ୍ର କରିଥିଲେ। ଖୁବ୍‌ଶୀଘ୍ର ସିବିଆଇ ଏହି ମାମଲାରେ ଚାର୍ଜସିଟ୍‌ ଫାଇଲ୍‌ କରିବ ଏବଂ ତଦନ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସିବିଆଇ କହିଛି। ସିଆରପିସିର ଧାରା ୧୬୪ ଅଧୀନରେ ସିବିଆଇ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା। ଯେଉଁଠି ସେ ବିଧାୟକଙ୍କ ବିରୋଧରେ ତାଙ୍କ ଅଭିଯୋଗରେ କାଏମ ରହିଛନ୍ତି। ତେବେ ଏହି ମାମଲାରେ ପୁଲିସ ବିଜେପି ବିଧାୟକଙ୍କୁ ସହଯୋଗ କରିବା ପାଇଁ ଆଇନକାନୁନକୁ ଜଳାଞ୍ଜଳି ଦେଇଥିବା ପ୍ରମାଣ ମିଳିଛି। ପୁଲିସ ପୀଡ଼ିତାଙ୍କ ମେଡିକାଲ ପରୀକ୍ଷାରେ ବିଳମ୍ବ କରିଛି ଏବଂ ପୀଡ଼ିତାଙ୍କ ପୋଷାକ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଇ ନାହିଁ। ଏ ସମସ୍ତ କାର୍ଯ୍ୟ ଉଦ୍ଦେଶ୍ୟମୂୂଳକ ଭାବେ ହୋଇଥିଲା ଏବଂ ପୁଲିସ ଅଧିକାରୀମାନେ ବିଜେପି ବିଧାୟକଙ୍କ କଥାରେ ଉଠ୍‌ବସ ହେଉଥିଲେ ବୋଲି ସିବିଆଇ ପ୍ରକାଶ କରିଛି। ଗତ ଏପ୍ରିଲ ୧୩-୧୪ ତାରିଖରେ ସିବିଆଇ ବିଧାୟକ କୁଲଦୀପ ସିଂ ସେଙ୍ଗର, ଶଶି ସିଂ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ଏବଂ ସେମାନଙ୍କୁ ପଚରାଉଚୁରାରୁ ଜଣାପଡ଼ିଛି ଯେ ପୁଲିସ ଅଧିକାରୀମାନେ ହିଁ ଉକ୍ତ ମାମଲାରେ ବିଜେପି ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ।

ପୀଡ଼ିତାଙ୍କ ବୟାନ ରେକର୍ଡରୁ ଜଣାଯାଇଛି ଯେ, ଜୁନ୍‌ ୪ ତାରିଖରେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ସହଯୋଗୀ ଶଶି ସିଂ ଚାକିରି ଦେବା ବାହାନାରେ ତାଙ୍କୁ ବିଧାୟକଙ୍କ ବାସଭବନକୁ ନେଇଥିଲେ ଏବଂ ସେଠାରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ଧମକ ଦିଆଯାଇଥିବାରୁ ସେ ଭୟରେ ଜୁନ୍‌ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏ ବିଷୟରେ କାହାକୁ କିଛି କହିନଥିଲେ। ତେବେ ଜୁନ୍‌ ୧୧ ତାରିଖରେ ତାଙ୍କୁ ୩ ଜଣ ବ୍ୟକ୍ତି ତଥା ଶୁଭମ ସିଂ, ଅଓ୍ଵଧ ନାରାୟଣ, ଏବଂ ବ୍ରିଜେଶ ଯାଦବ ଅପହରଣ କରିନେଇଥିଲେ। ୧୧ ଜୁନ୍‌ରୁ ୧୯ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ଏକ କାର୍‌ରେ ରଖାଯାଇ ଦୁଷ୍କର୍ମ କରାଯାଇଥିଲା।

ସମ୍ବନ୍ଧିତ ଖବର