ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ପରେ ପୂର୍ବତନ ବିଜେପି ବିଧାୟକ କୋର୍ଟରେ କଲେ ଆତ୍ମସମର୍ପଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଅଦାଲତ ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ବିଧାୟକ ସଂଗୀତ ସୋମଙ୍କ ନାମରେ ଏକ ଜାମିନ ବିହୀନ ଗିରଫ ପରଓ୍ଵାନା (ୱାରେଣ୍ଟ) ଜାରି କରିବା ପରେ ଅଭିଯୁକ୍ତ ସୋମ ମଙ୍ଗଳବାର ଏଠାରେ ଏକ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ୨୦୦୯ରେ ଏକ ରାସ୍ତା ଅବରୋଧ ମାମଲାରେ ଅଦାଲତରେ ହାଜର ନହେବା କାରଣରୁ ଅଭିଯୁକ୍ତ ପୂର୍ବତନ ବିଧାୟକ ସୋମଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ ଅଦାଲତ।

ଆତ୍ମ ସମର୍ପଣ ପରେ ସିଭିଲ୍‌ ଜଜ୍‌ ବରିଷ୍ଠ ଡିଭିଜନ୍‌ ମୟଙ୍କ ଜୟସ୍ୱାଲ ସୋମଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟକୁ ରଦ୍ଦ କରି ଦେଇଛନ୍ତି ଏବଂ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ ୨୨କୁ ତାରିଖ ଧାର୍ଯ୍ୟ କରିଛନ୍ତି। ସୋମଙ୍କ ଆତ୍ମସମର୍ପଣ ପରେ ତାଙ୍କ ଓକିଲ ୱାରେଣ୍ଟକୁ ରଦ୍ଦ କରିବା ପାଇଁ ଅଦାଲତରେ ଏକ ଆବେଦନ କରିଥିଲେ।

ମାମଲାର ବିବରଣୀ ଅନୁଯାୟୀ, ୨୦୦୯ରେ ଉତ୍ତରପ୍ରଦେଶରେ ବିଏସପି ଶାସନ ସମୟରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିରୋଧ ଚାଲିଥିବା ବେଳେ ଏଠାରେ ସିଭିଲ ଲାଇନ ଅଞ୍ଚଳରେ ଏକ ରାସ୍ତା ଅବରୋଧ କରିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ବିଧାୟକଙ୍କ ନାମରେ ପୁଲିସ ପକ୍ଷରୁ ଏକ ମାମଲା ଆଗତ ହୋଇଥିଲା ଏବଂ ସେ ବିଚାରର ସମ୍ମୁଖୀନ ହୋଇଥିଲେ। ଜୁଲାଇ ୧୭, ୨୦୦୯ରେ ରାସ୍ତା ଅବରୋଧ କରିଥିବାରୁ ପୁଲିସ ସୋମ ଏବଂ ତାଙ୍କ ତିନି ଘରୋଇ ଗାର୍ଡଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ତେବେ, ଏହି ମାମଲାରେ ଅଭିଯୁକ୍ତ ସୋମ ବାରମ୍ବାର ନୋଟିସ ସତ୍ତ୍ୱେ ପୁଲିସ୍‌ କିମ୍ବା ଅଦାଲତଙ୍କ ସମ୍ମୁଖରେ ହାଜର ହେଉ ନଥିଲେ।

ସମ୍ବନ୍ଧିତ ଖବର