ନୂଆଦିଲ୍ଲୀ: ବିହାର ବିଧାନସଭା ମୌସୁମୀ ଅଧିବେଶନର ଶେଷଦିନ ଥିଲା ଶୁକ୍ରବାର । ଆଜି ଦିନ ୧୧ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଥିଲେ।

Advertisment

ବିଜେପି ବିଧାୟକମାନେ  ପଟନାରେ ଗତ ଗୁରୁବାର ପୁଲିସର ଲାଠିଚାର୍ଜକୁ ‌ନେଇ ନାରାବାଜୀ କରିଥିଲେ। ଏହି ସମୟରେ ବିଧାୟକ ବିଜୟ ସିହ୍ନା କହିଥିଲେ, ‘ପୁଲିସର ଲାଠିମାଡ଼ରେ ବି‌ଜେପିର ଜଣେ ନେତାଙ୍କର ମୃତ୍ୟୁ ହୋଇଛି। ଏହା ମୃତ୍ୟୁ ନୁହେଁ ହତ୍ୟା।’

ଏହାପରେ ବିଧାନସଭାରେ ବାଚସ୍ପତି ବିରୋଧୀଙ୍କୁ ଆଉ କହିବାକୁ ଦେଇ ନଥି‌ଲେ। ଏହାକୁ ନେଇ ବିଜେପି ସଦସ୍ୟମାନେ ବିଧାନସଭାରେରେ ହଙ୍ଗାମା ଆରମ୍ଭ କରି ଦେଇଥିଲେ। ଏହି ହଙ୍ଗାମାକୁ ଦେଖି ବାଚସ୍ପତି ବିରୋଧୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଜେପି ବିଧାୟକ ସଞ୍ଜୟ ସିଂ ବାଚସ୍ପତିଙ୍କ କୌଣସି କଥାକୁ ଶୁଣି ନଥିଲେ। ସେ ଟେବୁଲ ଉପ‌ରେ ଚଢ଼ି ଯାଇଥିଲେ। ଏହାପରେ ବାଚସ୍ପତି ସଞ୍ଜୟଙ୍କୁ ମାର୍ସଲ ଆଉଟ(ବିଧାନସଭାର ମାର୍ସାଲମାନେ ବଳପୂର୍ବକ ବାହାର କରିବା) କରିବାକୁ ଆଦେଶ ଦେଇଥିଲେ।

ସଞ୍ଜୟ ସିଂଙ୍କୁ ବିଧାନସଭାର ମାର୍ସାଲମାନେ ବଳପୂର୍ବକ ବାହାର କରିବା ପରେ ବିଧାନସଭାରେ ହଙ୍ଗାମା ଜାରି ରହିଥିଲା। ଏହି କାରଣରୁ ବାଚସ୍ପତି ଦ୍ବିପହର ୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ସ୍ଥଗିତ ରଖିଥିଲେ।

ମାର୍ସଲ ଆଉଟ ହେବାପରେ ସଞ୍ଜୟ ଗଣମାଧ୍ୟମକୁ କହିଛନ୍ତି, ‘ମୋ ସହିତ ଏପରି ବ୍ୟବହାର ଠିକ ହେଲା ନାହିଁ। ଏହି ଘଟଣାରେ ମୁଁ ଆହତ ହୋଇଛି। ମୋର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।’