ଉନ୍ନାଓ: ମଞ୍ଚ ଉପରେ ଜଣେ ବୟୋଜ୍ୟେଷ୍ଠ କୃଷକଙ୍କ ଠାରୁ ଖାଇଥିବା ଚାପୁଡ଼ାକୁ ‘ବିଜେପି’ ବିଧାୟକ ପଙ୍କଜ ଗୁପ୍ତା ‘ଗାଲରେ ଚାଚାଙ୍କ ଥାପୁଡ଼ା’ ବୋଲି କହୁଥିବାର ଏକ ଭିଡିଓ ସମ୍ପ୍ରତି ଭାଇରାଲ୍ ହୋଇଛି। ଚାପୁଡ଼ା ଦୃଶ୍ୟ ଥିବା ଉକ୍ତ ଫୁଟେଜ୍ ବାସ୍ତବ ବୋଲି ଜଣାପଡୁଛି।
ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ଭିଡିଓଟି ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହେବା ପରେ, ଉନ୍ନାଓର ସଦର ଆସନର ପ୍ରତିନିଧିତ୍ବ କରୁଥିବା ବିଧାୟକ ପଙ୍କଜ ଗୁପ୍ତା ଲୋକମାନଙ୍କ ମନରୁ ଏହାର ନକାରାତ୍ମକ ପ୍ରଭାବ ଦୂର କରିବା ଲାଗି ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ।
ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କ ଆଡ଼କୁ ହାତ ଦେଖାଇ ଗୁପ୍ତା ସାମ୍ବାଦିକମାନଙ୍କୁ କହିଲେ, ଭିଡିଓରେ ଦେଖାଯାଉଥିବା ଲୋକଜଣକ ହେଉଛନ୍ତି ମୋ ଚାଚା (ଦାଦି)। ଆଗରୁ ଯେମିତି ସ୍ନେହରେ ସେ ମୋ ଗାଲ ଥାପୁଡ଼ାଉଥିଲେ ଏବେ ସେମିତି କରିଛନ୍ତି। ଭିଡିଓଟି ଦୁଇ ଦିନ ପୂର୍ବେ ଅର୍ଥାତ୍ ଜାନୁଆରି ୫ ତାରିଖ ଦିନ ବର୍ଷିୟାନ୍ ‘ବିଜେପି’ ନେତା କଲ୍ୟାଣ ସିଂହଙ୍କ ଜନ୍ମଦିନ ଅବସରରେ ଏରାଭାଦିୟାଭର୍ ଗୋଲେଇ ଛକରେ ଗୁଲାବ ସିଂହ ଲୋଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ସମୟର।
କିନ୍ତୁ, ସମାଜବାଦୀ ପାର୍ଟି ଗୈରିକ ଦଳକୁ ସମାଲୋଚନା କରି କହିଛି ଯେ, ସେ ଚାପୁଡ଼ା ‘ବିଜପେି’ ବିଧାୟକଙ୍କ ଗାଲରେ ଚାପୁଡ଼ା ନୁହେଁ, ‘ବିଜେପି’ ଶାସିତ ଆଦିତ୍ୟନାଥ ସରକାରଙ୍କ ନୀତି, ବିଶୃଙ୍ଖଳିତ ଶାସନ ଏବଂ ଏକଚ୍ଛତ୍ରବାଦ ଉପରେ ମାଡ଼।
ଭିଡିଓରେ ଦିଶୁଥିବା ବୟୋଜ୍ୟେଷ୍ଠ କୃଷକଜଣକ ହେଉଛନ୍ତି ଛତର୍ପାଲ୍ ଏବଂ ଡାଏସ୍ରେ ବିଧାୟକଙ୍କୁ ମାରିବା ପରେ ପୁଲିସ ତାଙ୍କୁ ଧରି ନେଉଛନ୍ତି।
ରାଜନୈତିକ ଫାଇଦା ପାଇବାକୁ ବିରୋଧୀ ନେତାମାନେ ଏହି ଘଟଣାକୁ କଦର୍ଥ କରି ପରିବେଶଣ କରୁଛନ୍ତି ବୋଲି ଗୁପ୍ତ ଅଭିଯୋଗ କରିଛନ୍ତି। ଛତର୍ପାଲ୍ ମଧ୍ୟ କହିଛନ୍ତି, ବିଧାୟକଙ୍କ ସହ ତାଙ୍କର କୌଣସି ବିବାଦ ନାହିଁ। ମଞ୍ଚ ଉପରେ ଫୂର୍ତ୍ତି ମିଜାଜରେ ବିଧାୟକ ବସିଥିବାରୁ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଭାବେ ଶ୍ରଦ୍ଧାରେ ସେ ତାଙ୍କ ଗାଲ ଥାପୁଡ଼ାଇ ଦେଇଥିଲେ।