ପୁଲିସ ସହିତ ଦୁର୍ବ୍ୟବହାର କଲେ ଟ୍ରାଫିକ୍‌ ସଙ୍କେତ ଅମାନ୍ୟ କରି ‘ବିଏମ୍‌ଡବ୍ଲୁ’ ଚଳାଉଥିବା ବିଜେପି ବିଧାୟକଙ୍କ ଝିଅ

ବେଙ୍ଗାଲୁରୁ: ‘ବିଏମ୍‌ଡବ୍ଲୁ’ କାର୍‌ ଚଳାଉଥିବା ଜଣେ ‘ବିଜେପି’ ବିଧାୟକଙ୍କ ଝିଅ ଗୁରୁବାର ଦିନ ରାସ୍ତାର ଟ୍ରାଫିକ୍‌ ସଙ୍କେତ ଟପିବା ସହିତ ବେଙ୍ଗାଲୁରୁ ପୁଲିସ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ, ଉକ୍ତ ଘଟଣା ରେକର୍ଡ କରୁଥିବା ଜଣେ ସ୍ଥାନୀୟ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ୍‌ଙ୍କ ସହିତ ମଧ୍ୟ ସେ ଦୁର୍ବବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, କର୍ଣ୍ଣାଟକ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାବଳୀଙ୍କ ଝିଅ ଗୋଟାଏ ‘ବିଏମ୍‌ଡବ୍ଲୁ’ ଚଳାଉଥିଲେ। କିନ୍ତୁ, ଲାଲ୍‌ ଟ୍ରାଫିକ୍‌ ସଙ୍କେତ ଜଳି ଉଠିଲେ ବି ସେ ଗାଡ଼ି ଅଟକାଇଲେ ନାହିଁ। କାର୍ଯ୍ୟରତ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇବାରୁ ସେ ସେମାନଙ୍କ ସହିତ ଯୁକ୍ତିତର୍କ କଲେ। ଏହାଛଡ଼ା, ସେ ସିଟ୍‌ବେଲ୍‌ଟ୍‌ ବି ବାନ୍ଧି ନ ଥିଲେ।

ଓଲଟି ସେ ପୁଲିସକୁ ସଗର୍ବ ନିଜର ପରିଚୟ ଦେଇ ଧମକାଇଥିଲେ। କିନ୍ତୁ, ପୁଲିସ ତାଙ୍କ ଧମକକୁ ଖାତିର କରି ନ ଥିଲେ। କିଛି ସମୟ ଧରି ଯୁକ୍ତିତର୍କ ଚାଲିବାରୁ ତାଙ୍କ ଗାଡ଼ି ଅଟକା ଯାଇଥିବା ରାଜ ଭବନ ସାମ୍ନା ରାସ୍ତାରେ ସହସା ଜନଗହଳି ହୋଇଗଲା।

Image Courtesy of NDTV

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଥାରେ ପୁଲିସ ସହିତ ଯୁକ୍ତି କରିବାରୁ ପୁଲିସ ତାଙ୍କୁ ପ୍ରମାଣ ଦେଖାଇବା ସହ ପୂର୍ବରୁ ବାକି ଥିବା ୯ ହଜାର ଟଙ୍କା ଜରିମାନା ସହିତ ସମୁଦାୟ ୧୦ ହଜାର ଟଙ୍କା ଜରିମାନା କରିଥିଲେ।

ବିଧାୟକଙ୍କ ଝିଅ କହିଥିଲେ, ମୁଁ ଏବେ ଯିବାକୁ ଚାହେଁ। କାର୍‌ ଅଟକାଅ ନାହିଁ। ଓଭର୍‌ଟେକିଙ୍ଗ୍‌ କରିଥିବାରୁ ଆପଣ ମୋ ନାଁରେ ମାମଲା ରୁଜୁ କରିପାରିବେ ନାହିଁ। ଏହା ଜଣେ ବିଧାୟକଙ୍କ ଗାଡ଼ି। ଆମେ ବେପରୁଆ ଗାଡ଼ି ଚାଳନା କରିନାହୁଁ। ମୋ ବାପା ହେଉଛି ଅରବିନ୍ଦ ଲିମ୍ବାବଲି।

ଭୀଷଣ ଯୁକ୍ତିତର୍କ ବେଳେ ସେ ଆହୁରି ମଧ୍ୟ କହିଥିଲେ, ତାଙ୍କୁ ଘରକୁ ପଠାଯାଉ। ଏବେ ଜରିମାନା ଦେବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ମଧ୍ୟ ସେ କହିଥିଲେ।

କିନ୍ତୁ, ଶେଷକୁ ତାଙ୍କ ସାଥି‌ରେ ଯାଉଥିବା ଜଣେ ବନ୍ଧୁ ଜରିମାନା ଦେୟ ପୈଠ କରିବା ପରେ ପୁଲିସ ସେମାନଙ୍କୁ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର