ଦିଲ୍ଲୀ କ୍ୟାବିନେଟରୁ ମନୀଷ ସିସୋଦିଆଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ବିଧାୟକ। ଆସନ୍ତାକାଲି ଦିଲ୍ଲୀ ବିଜେପି ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମନୀଷ ସିସୋଦିଆଙ୍କୁ କ୍ୟାବିନେଟରୁ ବରଖାସ୍ତ କରିବାକୁ ଦାବି କରିବେ ବୋଲି ଜଣାପଡ଼ିଛି। ଗତ ନଭେମ୍ବରରେ ଦିଲ୍ଲୀ ସରକାର ଆଣିଥିବା ଏକ ଅବକାରୀ ନୀତି କାର୍ଯ୍ୟକାରୀ କରିବା ନେଇ ସିସୋଦିଆଙ୍କ ଉପରେ ଦୁର୍ନୀତି ଅଭିଯୋଗ ଲାଗିବା ପରେ ଏଭଳି ଖବର ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, ୮ଜଣ ବିଜେପି ବିଧାୟକ ଆସନ୍ତାକାଲି ସକାଳ ୧୧ଟାରେ ରାଷ୍ଟ୍ରପତିଙ୍କ ନିକଟରେ ଏନେଇ ଏକ ସ୍ମାରକପତ୍ର ଦାଖଲ କରିବେ। ଏହାପୂର୍ବରୁ ବିଜେପି ଏକ ଭିଡିଓ ଜାରି କରି ଦାବି କରିଥିଲା ଯେ, ଏହି ଭିଡିଓ ଅବକାରୀ ଦୁର୍ନୀତିରେ ଦିଲ୍ଲୀ ସରକାରଙ୍କ ଭୂମିକାକୁ ପ୍ରକାଶ କରିବ। ଭିଡିଓରେ ବିଜେପି ସିସୋଦିଆଙ୍କ ବିରୋଧରେ ଷ୍ଟିଙ୍ଗ ଅପରେସନ କରିଥିବା ଦାବି କରିଥିଲା। ବିଜେପିର ଏଭଳି ଦାବିକୁ ହାସ୍ୟସ୍ପଦ ବୋଲି କହିଥିଲେ ସିସୋଦିଆ।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ, “ଷ୍ଟିଙ୍ଗ୍ ମାଷ୍ଟରଙ୍କର ହିଁ ଷ୍ଟିଙ୍ଗ୍ ଅପରେସନ ହୋଇଗଲା। ଏହି ଦୁର୍ନୀତିରେ ଜଣେ ଅଭିଯୁକ୍ତଙ୍କ ବାପା ସବୁ ଖୁଲାସା କରିଦେଲେ। ଏହା ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ ବିଜେପି ଦୀର୍ଘ ଦିନ ଧରି ଖାଲି ପାଟି କରୁଛି। କେତେବେଳେ ୧୩୦୦କୋଟି, କେତେବେଳେ ୮୦୦୦ କୋଟି, କେତେବେଳେ ୫୦୦ କୋଟି, କେତେବେଳେ ୧୪୪କୋଟି ତ କେତେବେଳେ ୩୦କୋଟିର ଦୁର୍ନୀତି ହୋଇଥିବା କହୁଛି ବିଜେପି। ଏହା ପରେ ସିବିଆଇକୁ ମୋ ପଛରେ ଲଗାଇ ମଧ୍ୟ ବିଜେପିକୁ କିଛି ନମିଳିବା ପରେ ଏବେ ଷ୍ଟିଙ୍ଗ୍ ଅପରେସନ କଥା କହୁଛି।

ସମ୍ବନ୍ଧିତ ଖବର