କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାକୁ ଚାହୁଁଥିବା ନେତାଙ୍କୁ କାର ଭଡ଼ାରେ ଦେବି: କମଲ ନାଥ

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାକୁ ଚାହୁଁଥିବା ନେତାଙ୍କୁ କାର ଭଡ଼ାରେ ଦେବି। ଏଭଳି କହି ଏବେ ବିବାଦରେ ଛନ୍ଦି ହୋଇଛନ୍ତି ମଧ୍ୟପ୍ରଦେଶର କଂଗ୍ରସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ। ସେ କହିଥିଲେ ଯେ, ଯିଏ ବିଜେପିରେ ଯୋଗଦେବାକୁ ଚାହୁଁଛି ସେ ଯାଇପାରିବ। ଆମେ କାହାକୁ ଅଟକାଇବାକୁ ଚାହୁଁନାହୁଁ। ଯଦି କଂଗ୍ରେସ ନେତାମାନେ ବିଜେପି ସହିତ ନିଜ ଭବିଷ୍ୟତ ଦେଖିବାକୁ ଚାହାଁନ୍ତି, ତେବେ ସେମାନେ ବିଜେପିରେ ଯୋଗ ଦେଇପାରିବେ। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାକୁ ଚାହୁଁଥିବା ନେତାଙ୍କୁ ମୁଁ ମୋର କାର ଭଡ଼ାରେ ଦେବି। କଂଗ୍ରେସ କାହାକୁ ଅଟକାଇବ ନାହିଁ। ତାଙ୍କର ଏଭଳି ବୟାନକୁ ନେଇ ବିଜେପି ଖୁସି ବ୍ୟକ୍ତ କରିଛି।

ଭାରତୀୟ ଜନତା ପାର୍ଟି (ବିଜେପି) ନେତା କୈଲାଶ ବିଜୟବର୍ଗିଅ କହିଛନ୍ତି ଯେ, ଯଦି କମଲ ନାଥ ଏପରି ଭାବୁଛନ୍ତି, ତେବେ ନିଶ୍ଚିତ ଭାବେ ତାଙ୍କୁ ଆହୁରି ଅଧିକ କାର କିଣିବା ଉଚିତ୍। କାରଣ କଂଗ୍ରେସର ବହୁ ବଡ ବଡ଼ ନେତା ବିଜେପିରେ ଯୋଗଦେବାକୁ ଯୋଜନା କରୁଛନ୍ତି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କମଲ ନାଥଙ୍କ ମନ୍ତବ୍ୟକୁ କଂଗ୍ରେସ ନେତ‌ାମାନଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।ରତଲାମରେ ଏକ ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, “ଯେଉଁ ଦଳ ନିଜ ନେତ‌ାଙ୍କୁ ସମ୍ମାନ କରେ ନାହିଁ, ସେ ଦଳ କିପରି ଲୋକଙ୍କ ପାଇଁ ଭଲ କାମ କରିପାରିବ? ଯେତେବେଳେ ଦଳର ବଡ ନେତାମାନେ ଏପରି କଥା କହୁଛନ୍ତି, ସେତେବେଳେ ଏହା ବୁଝିଯିବା ଉଚିତ ଯେ ସେମାନେ ନିଜ ନେତ‌ାମାନଙ୍କୁ କେତେ ସମ୍ମାନ ଦିଅନ୍ତି।

ସମ୍ବନ୍ଧିତ ଖବର