ବେଙ୍ଗାଲୁରୁ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବାଧୀନତା ସଂଗ୍ରାମକୁ ‘ଡ୍ରାମା’ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନନ୍ତ କୁମାର ହେଗଡ଼େ। ଏଭଳି ବିବାଦୀୟ ବୟାନ ଦେଇ ଅନନ୍ତ କୁମାର ଚର୍ଚ୍ଚାରେ ରହିବାକୁ ପ୍ରୟାସ କରିଛନ୍ତି। ବ୍ରିଟିଶ ସରକାରଙ୍କ ସହଯୋଗରେ ଆନ୍ଦୋଳନ କରି ସେ କିଭଳି ‘ମହାତ୍ମା’ ହୋଇପାରିଲେ ବୋଲି ଅନନ୍ତ କୁମାର ପ୍ରଶ୍ନ କରିଛନ୍ତି। ବେଙ୍ଗାଲୁରୁରେ ଏକ ସାଧାରଣ ସମାବେଶକୁ ଉଦ୍ବୋଧନ ଦେଇ ଅନନ୍ତ କୁମାର ମହାତ୍ମା ଗାନ୍ଧୀଙ୍କ ସ୍ବାଧୀନତା ଆନ୍ଦୋଳନ ପ୍ରହସନ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି, ଏଭଳି ଅନେକ ତଥାକଥିତ ସ୍ବାଧୀନତା ସଂଗ୍ରାମୀ ଅଛନ୍ତି, ଯେଉଁମାନେ ଦିନେ ବି ବ୍ରିଟିଶ ପୁଲିସର ଲାଠି ପ୍ରହାର ଖାଇ ନାହାନ୍ତି, ମାତ୍ର ନିଜକୁ ସ୍ବାଧୀନତା ସଂଗ୍ରାମୀ ବୋଲାଇଛନ୍ତି। ସେମାନଙ୍କ ସ୍ବାଧୀନତା ସଂଗ୍ରାମ ଗୋଟିଏ ବଡ଼ ‘ଡ୍ରାମା’ ବୋଲି ଅନନ୍ତ କୁମାର କହିଛନ୍ତି। ସେ କହିଛନ୍ତି, ଗାନ୍ଧୀଙ୍କ ସ୍ବାଧୀନତା ସଂଗ୍ରାମ ବ୍ରିଟିଶ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହେଉଥିଲା। ଏହା ପ୍ରକୃ୍ତ ସ୍ବାଧୀନତା ସଂଗ୍ରାମ ନୁହେଁ। ଏହା ଏକ ଲୋକଦେଖାଣିଆ ସ୍ବାଧୀନତା ସଂଗ୍ରାମ। ମହାତ୍ମା ଗାନ୍ଧୀଙ୍କ ‘ଆମରଣ ଅନଶନ’ ଏବଂ ‘ସତ୍ୟାଗ୍ରହ’ ମଧ୍ୟ ନାଟକ ଥିଲା ବୋଲି ଅନନ୍ତ କୁମାର କଟାକ୍ଷ କରିଛନ୍ତି। କେତେକ ଲୋକେ ଭାବନ୍ତି ‘ସତ୍ୟାଗ୍ରହ’ ଯୋଗୁଁ ଦେଶ ସ୍ବାଧୀନ ହୋଇଥିଲା। ମାତ୍ର ତାହା ସତ୍ୟ ନୁହେଁ। ‘ସତ୍ୟାଗ୍ରହ’ ଯୋଗୁଁ ବ୍ରିଟିଶମାନେ ଭାରତ ଛାଡ଼ି ନାହାନ୍ତି। ବରଂ ସେମାନେ ହତାଶ ହୋଇ ଦେଶ ଛାଡ଼ିଛନ୍ତି। ଏଭଳି ଭ୍ରମାତ୍ମକ ଇତିହାସ ପଢିଲେ ତାଙ୍କ ରକ୍ତ ତାତି ଉଠେ ବୋଲି ଅନନ୍ତ କୁମାର କହିଛନ୍ତି। ଏଭଳି ମିଛ ସ୍ବାଧୀନତା ସଂଗ୍ରାମୀଙ୍କୁ ଲୋକେ ‘ମହାତ୍ମା’ ବୋଲି କହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
ବିଜେପି ସାଂସଦ ଅନନ୍ତ ହେଗଡ଼େଙ୍କ ବିବାଦୀୟ ବୟାନ : ମହାତ୍ମା ଗାନ୍ଧୀଙ୍କ ସ୍ବାଧୀନତା ସଂଗ୍ରାମକୁ ‘ଡ୍ରାମା’ କହିଲେ
/sambad/media/post_attachments/wp-content/uploads/2020/02/Ananth-Hegde-mangalorean.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)