ରାଜସ୍ଥାନ ଦୁର୍ଗରେ ଆଦିବାସୀ ପତାକା ଉଡ଼ାଇ ବିଜେପି ସାଂସଦ ଗିରଫ

ଜୟପୁର: ରାଜସ୍ଥାନର ଜୟପୁରରେ ବାରଣ ସତ୍ତ୍ବେ ବିଜେପି ସାଂସଦ ଡା. କିରୋଡ଼ୀ ଲାଲ ମୀନା ଆମ୍ବାଗଡ଼ କିଲ୍ଲାରେ ଆଦିବାସୀ ସମୁଦାୟର ଏକ ପତାକା ଉଡ଼ାଇ ଗିରଫ ହୋଇଛନ୍ତି। ମୀନା ଆମାଗଢ଼ କିଲ୍ଲାରେ ପୂଜା କରିବାକୁ ପ୍ରସ୍ତୁତି ଚଳାଇଥିଲେ। ହେଲେ ପୁଲିସ ସେଠାରେ ପହଞ୍ଚି ପୂଜା ବନ୍ଦ କରିବା ସହ ମୀନାଙ୍କ ସମସ୍ତ ଯୋଜନାକୁ ପଣ୍ଡ କରି ଦେଇଛି। ଆମାଗଢ଼ କିଲ୍ଲାରେ ପତାକା ଉଡ଼ାଇବା ମାମଲାକୁ ସମ୍ବେଦନଶୀଳ ବୋଲି ଧରାଯାଉଛି। ଏହା ପୂର୍ବରୁ କଂଗ୍ରେସ ବିଧାୟକ ରାମକେଶ ମୀନା ଆମାଗଢ଼ କିଲ୍ଲାରେ ଶାସକ ଦଳର ପତାକା ଚିରି ଦେଇଥିଲେ। ଏହାପରେ କିରୋଡ଼ୀ ଲାଲ ମୀନା ‘ମୀନା ସମାଜ’ର ପତାକା କିଲ୍ଲାରେ ଉଡ଼ାଇଥିଲେ। ଅବଶ୍ୟ ଏଥିପାଇଁ ପୁଲିସ ମୀନାଙ୍କୁ ବାରଣ କରିଥିଲା। ପତାକା ଉଡ଼ାଇବା ପରେ ପୁଲିସ ମୀନାଙ୍କୁ ନିଜ ହେପାଜତକୁ ନେଇଥିଲେ। ମୀନା ଟ୍ବିଟ୍‌ କରି ପତାକା ଉଡ଼ାଉଥିବାର ଭିଡିଓ ସେୟାର କରିବା ସହ ଲେଖିଛନ୍ତି ଆମାଗଢ଼ ଫୋର୍ଟରୁ ମୋତେ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ରାଜସ୍ଥାନରେ ମୀନା ସମାଜର ଗୋଟିଏ ଗୋଷ୍ଠୀ ଆର୍‌ଏସ୍‌ଏସ୍‌, ହିନ୍ଦୁ ସଂଗଠନ ସହ ବିବାଦ ଚାଲିଛି। ସେମାନଙ୍କ ଦାବି ମୀନାମାନଙ୍କର ଗୋଟାଏ ସ୍ବତନ୍ତ୍ର ପରିଚୟ ଅଛି। ସେମାନେ ହିନ୍ଦୁ ନୁହନ୍ତି। ମୀନା ସମୁଦାୟର ନେତା ତଥା ବିଧାୟକ ରାମକେଶ ମୀନା କିଛିଦିନ ପୂର୍ବେ ଆମାଗଢ଼ କିଲ୍ଲାରେ ଶାସକ ଦଳର ପତାକା ଚିରିଥିବାରୁ ବିବାଦ ଉପୁଜିଥିଲା। ସେଥିପାଇଁ ପୁଲିସ ଆମାଗଢ଼ କିଲ୍ଲାରେ କୌଣସି ପତାକା ଉଡ଼ାଇବା ଉପରେ ନିଷେଧାଦେଶ ଜାରି କରିଥିଲା। ଏହାକୁ ଉପେକ୍ଷା କରି ବିଜେପି ରାଜ୍ୟସଭା ସାଂସଦ ଡା. କିରୋଡ଼ୀ ଲାଲ ମୀନା ଆମାଗଢ଼ କିଲ୍ଲାରେ ପତାକା ଉଡ଼ାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୀନାକୁ ନିଜ ହେପାଜତକୁ ନେଇଥିଲା। ବସୁନ୍ଧରା ରାଜେ ଟ୍ବିଟ୍‌ କରି କଂଗ୍ରେସ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଆମାଗଢ଼ କିଲ୍ଲା ମାମଲାରେ ଧର୍ମ ନାଁରେ କଂଗ୍ରେସ ରାଜନୀତି କରୁଛି। କଂଗ୍ରେସ କଡ଼ା ଜବାବ ଦେଇଥିବା ଡା. ମୀନାଙ୍କୁ ଗିରଫ କରାଯିବା ଅତ୍ୟନ୍ତ ନିନ୍ଦନୀୟ। ତାଙ୍କୁ ତୁରନ୍ତ ଛାଡ଼ି ଦିଆଯାଉ ବୋଲି ରାଜେ ଟ୍ବିଟରରେ କହିଛନ୍ତି।

ସମ୍ବନ୍ଧିତ ଖବର